ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ କରାଯିବ: ଗଜପତି ମହାରାଜ

ପୁରୀ: ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ରାୟ ଏବଂ ଏହାକୁ ପାଳନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏକ ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଅନୁସନ୍ଧାନ କରାଯିବ। ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା ସମିତିର ବୈଠକ ପରେ ଏହାର ସ୍ୱରୂପ କିଭଳି ହେବ ତାହା ସ୍ଥିର କରାଯିବ। କିପରି ଶ୍ରୀମନ୍ଦିର ପରମ୍ପରାର ବିଧିରକ୍ଷା ହୋଇପାରିବ ସେ ନେଇ ସନ୍ଧ୍ୟା ବୈଠକରେ ଆଲୋଚନା ହେବ। ଏହାପରେ ବିକଳ୍ପ ସମ୍ପର୍କରେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଅଗବତ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏଥିସହ ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।

ଏହି ଅବସରରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଗଜପତି ମହାରାଜା କହିଥିଲେ ଯେ ମେ ୩୦ ବୈଠକ ପରେ ଶ୍ରୀମନ୍ଦିର ପରିଚାଳନା ସମିତି ପକ୍ଷରୁ ଏକ ଭକ୍ତଶୂନ୍ୟ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ରାଜ୍ୟ ସରକାର ଏହା ଉପରେ କୌଣସି ଉତ୍ତର ରଖି ନ ଥିଲେ। ପ୍ରସ୍ତାବଟି ରାଜ୍ୟ ସରକାରଙ୍କ ପାଖରେ ହିଁ ରହିଯାଇଥିଲା। ବର୍ତ୍ତମାନ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ପାଳନ ଲାଗି ସୂଚନା ଦେଇଛନ୍ତି। ସେହି ଅନୁସାରେ ଆମେ କରିବା ଲାଗି ଉଦ୍ୟମ କରୁଛୁ।

ଆଜି  ସନ୍ଧ୍ୟା ୬ଟାରେ ଶ୍ରୀମନ୍ଦିର ନୀତିକାନ୍ତି ନେଇ ବୈଠକ ବସିବ। ଏହି ବୈଠକରେ ଛତିଶାନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ। ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ସେ ନେଇ ମଧ୍ୟ ଆଲୋଚନା ହେବ। ବୈଠକ ଶେଷ ହେବ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରାଯିବ। କାଲି ସକାଳ ସୁଦ୍ଧା ନିଷ୍ପତ୍ତି ନିଆଯିବ।

ଗତକାଲି ଏନେଇ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖି କହିଥିଲେ ଯେ ରଥ ଅନୁକୂଳ ଓ ସ୍ନାନଯାତ୍ରା ପାଇଁ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ମାତ୍ର ରଥଯାତ୍ରା ସଂପର୍କରେ ତାଙ୍କର କୌଣସି ମତ ନିଆଯାଇନାହିଁ। ତେବେ ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତାଙ୍କ ସହିତ ଆଲୋଚନା କରିବା ଦରକାର। ଉଭୟ ଆସନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ଚାହିଁଛନ୍ତି। ଏହି ଆଲୋଚନା ପରେ ସେ ଯାହା ମତ ଦେବେ। ଜଗଦଗୁର ଆହୁରି କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସେ ଭଲ ଭାବେ ଅନୁଶୀଳନ କରିନାହାନ୍ତି। ଅନୁଶୀଳନ କରିବା ପରେ ଅଧିକ ମତ ରଖିବେ।