‘ଫନି’ ମୁକାବିଲା ପାଇଁ ୪ ରାଜ୍ୟକୁ କେନ୍ଦ୍ରର ଅଗ୍ରିମ ସହାୟତା: ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ୧୦୮୬ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଜାତୀୟ ବିପତ୍ତି ପରିଚାଳନା କମିଟି(ଏନସିଏମସି) ବୈଠକରେ ନିଷ୍ପତ୍ତି ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ(ଏସଡିଆରଏଫ)କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ୨୦୦ କୋଟି ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବାବେଳେ ଓଡ଼ିଶାକୁ ୩୪୦ କୋଟି ୮୭ ଲକ୍ଷ, ତାମିଲନାଡୁକୁ ୩୦୯ କୋଟି ୩୭ ଲକ୍ଷ ଏବଂ ପଶ୍ଚିମବଙ୍ଗକୁ ୨୩୫ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ସହ ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।