ଆଜିଠୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ସମ୍ବିଧାନ

ଶ୍ରୀନଗର:ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଂଚଳ ଭାବେ ଗଢି ଉଠିବା ପରେ ଏଠାରେ ପ୍ରଶାସିକ ଓ ଆର୍ଥିକ ସ୍ତରରେ ପରିବର୍ତନ ଆସିବ  । ଆଜି କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କାଶ୍ମୀରରେ ୧୦୬ଟି କେନ୍ଦ୍ରୀୟ ଆଇନ ଲାଗୁ ହେବ । ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ପୋଲିସ ଥାନାରେ ସିଆରପିସି ଅନୁସାରେ ମାମଲା ରୁଜୁ ହେବ । ଏହା ପୂର୍ବରୁ ଆରପିସି ବ୍ୟବସ୍ଥା ଥିଲା । 

କେନ୍ଦ୍ରଶାସିତ ଅଂଚଳ ଲଦାଖ ପାଇଁ କର୍ମଚାରୀଙ୍କ ଅଭାବ ରହିଛି । ଯେଉଁଠାକୁ ଜମ୍ମୁ-କାଶ୍ମୀରରୁ କର୍ମଚାରୀଙ୍କୁ ପଠାଯିବ । ଏହା ବ୍ୟତୀତ ପର୍ଯ୍ୟଟନ, ବଦ୍ୟୁତ ଶକ୍ତି ଆଦି ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ସୁଧାର ଆସିବା ଫଳରେ ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ ହେବ । ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ମିଳିବ । 

ପୁନର୍ଗଠନ ପରେ ଦଶନ୍ଧି ଦଶନ୍ଧି ଧରି ଜମ୍ମୁ-କାଶ୍ମୀରରେ ଭାରତର ନାଗରିକତା ପାଇଁ ଦାବି କରୁଥିବା ଲୋକଙ୍କୁ ନୂଆ ଜୀବନ ମିଳିବ । ପଶ୍ଚିମ ପାକିସ୍ତାନୀ ରିଫ୍ୟୁଜି, ବାଲ୍ମିକି ସମାଜ, ଗୋରଖ ଓ ଅନ୍ୟ ରାଜ୍ୟରେ ବିବାହ କରିଥିବା କାଶ୍ମୀର ଝିଅଙ୍କୁ ମଧ୍ୟ ଅନେକ ଅଧିକାର ମିଳିବ । ଏଠାରେ ପୂର୍ବରୁ ୩୫ଏ ଥିଲା । ଫଳରେ ଏଠାକାର ଯୁବତୀ ଅନ୍ୟ ରାଜ୍ୟରେ ବିବାହ କଲେ ସେମାନଙ୍କ ଜମ୍ମୁ-କାଶ୍ମୀର ନାଗରିକତା ସମାପ୍ତ ହେଉଥିଲା । ସେ ନିଜ ନାଗରିକତା ପ୍ରମାଣପତ୍ର ଦେଖାଇ ଏଠାରେ ସମ୍ପତି କିଣାବିକା କରୁଥିଲା । ଏବେ ଏହି ସବୁ ନିୟମ ଶେଷ ହୋଇଛି ।