ସେପ୍ଟେମ୍ବର ପହିଲାରୁ ବଦଳିବ ବ୍ୟାଙ୍କର ୭ ନିୟମ, କେୱାଇସି ନ ଭରିଲେ ବନ୍ଦ ହେବ ମୋବାଇଲ୍‌ ୱାଲେଟ୍‌

ନୂଆଦିଲ୍ଲୀ:ଆସନ୍ତା ସେପ୍ଟେମ୍ବର ପହିଲାରୁ ବ୍ୟାଙ୍କଗୁଡ଼ିକର କେତେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକି ସାଧାରଣ ଜୀବନ ଯାତ୍ରା ଉପରେ ପ୍ରଭାବ ପକାଇ ପାରେ  । ଘର କିଣିବା ଶସ୍ତା ହେବା ସହ ବ୍ୟାଙ୍କ ଖୋଲିବା ସମୟ, ଏସ୍‌ବିଆଇର ଗୃହ ଋଣ, ମୋବାଇଲ୍‌ ୱାଲେଟ୍‌ର କେୱାଇସି ଆଦି ତୁରନ୍ତ ଭରିବାକୁ ପଡ଼ିବ ।

ସରକାରୀ ବ୍ୟାଙ୍କଗୁଡ଼ିକରେ ମାତ୍ର ୫୯ ମିନିଟ୍‌ରେ ହୋମ୍‌, ଅଟୋ ଏବଂ ପର୍ସନାଲ ଲୋନ୍‌ ମିଳିବାର ସୁବିଧା ଉପଲବ୍ଧ ହେବ । ଏହା ଆଗାମୀ ସେପ୍ଟେମ୍ବର ୧ରୁ ଲାଗୁ ହେବ । ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସ ମଧ୍ୟ ଏହି ନିୟମ ଲାଗୁ କରିବ ।

ପହିଲାରୁ ଏସ୍‌ବିଆଇ ଗ୍ରାହକମାନଙ୍କ ପାଇଁ ଗୃହ ଋଣ ସହିତ ଘର କିଣିବା ମଧ୍ୟ ଶସ୍ତା ହେବ । ଏସ୍‌ବିଆଇ ରେପୋ ଲିଙ୍କ୍ଡ ଲିଡିଙ୍ଗ ରେଟ୍‌ (ଆର୍‌ଏଲ୍‌ଏଲ୍‌ଆର୍‌)ରେ ହୋମ୍‌ ଲୋନ୍‌ ଇଣ୍ଡଷ୍ଟ୍ରିରେ ନିଜର ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ପହିଲାରୁ ହୋମ୍‌ ଲୋନ୍‌ ପାଇଁ ବ୍ୟାଜ୍‌ ଦର ୮.୦୫ ପ୍ରତିଶତ ହେବ ।

ପେଟିଏମ୍‌, ଫୋନ୍‌ପେ, ଗୁଗୁଲ ପେ ଆକାଉଣ୍ଟ ବ୍ୟବହାର କରୁଥିବା ଗ୍ରାହକମାନେ ୩୧ ଅଗଷ୍ଟ ମଧ୍ୟରେ କେୱାଇସି ନ ଭରିଲେ ଏହି ଆପ୍‌ ଗୁଡ଼ିକ ବନ୍ଦ ହୋଇଯିବ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କେୱାଇସି ଭରିବାକୁ ବ୍ୟାଙ୍କଗୁଡ଼ିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦେଇଛି । ତେଣୁ ଯେଉଁମାନେ କେୱାଇସି ନ ଭରିଛନ୍ତି ସେମାନେ ଯଥାଶୀଘ୍ର ୩୧ ଡିସେମ୍ବର ମଧ୍ୟରେ ଏହି କାର୍ଯ୍ୟ କରାଇ ନେବା ଉଚିତ ।  

ଏସ୍‌ବିଆଇ ରିଟେଲ ଜମା ଓ ବଲ୍କ ଡିପୋଜିଟ୍‌ ପାଇଁ ବ୍ୟାଜ୍‌ ଦରକୁ ହ୍ରାସ କରିଛି । ସେଭିଙ୍ଗ୍ସ ବ୍ୟାଙ୍କ ବ୍ୟାଜ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍‌ କରୁଥିବା ଗ୍ରାହକଙ୍କୁ ସଞ୍ଚୟ ଖାତାରେ ୩.୫ ପ୍ରତିଶତ ବ୍ୟାଜ୍‌ ମିଳିବ ।

ବ୍ୟାଙ୍କ୍‌ ଖୋଳିବା ସମୟ ସେପ୍ଟେମ୍ବର ପହିଲାରୁ ବଦଳିବାର ସମ୍ଭାବନା ରହିଛି । ସକାଳ ୯ଟାରୁ ବ୍ୟାଙ୍କ୍‌ ଖୋଲିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଗ୍ରାହକଙ୍କ ଅସୁବିଧା ଦୂର ହୋଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସମସ୍ତ ସରକାରୀ ଓ କ୍ଷେତ୍ରୀୟ ବ୍ୟାଙ୍କଗୁଡ଼ିକ ସକାଳ ୯ ଘଟିକା ସମୟରେ ବ୍ୟାଙ୍କ୍‌ ଖୋଲିବାକୁ ପ୍ରସ୍ତାବ ଦେଇଥିଲା ।

ପହିଲାରୁ କିଷାନ କ୍ରେଡିଟ୍‌ କାର୍ଡ ସୁବିଧାରେ ଉପଲବ୍ଧ ହେବ । ମାତ୍ର ୧୫ ଦିନ ମଧ୍ୟରେ ଗ୍ରାହକମାନେ କାର୍ଡ ପାଇ ପାରିବେ । ଏଥିପାଇଁ କେନ୍ଦ୍ର ସରକାର ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ରିଟେଲ୍‌ ଲୋନ୍‌କୁ ରେପୋ ରେଟ୍‌ରେ ଯୋଡ଼ିବ । ଏହା ଦ୍ୱାରା ଶସ୍ତାରେ ଋଣ ମିଳି ପାରିବ । ଏହା ଦ୍ୱାରା ଆର୍‌ବିଆଇ ଯେତେବେଳେ ଋଣ ଗୁଡ଼ିକରେ ପରିବର୍ତ୍ତନ କରିବ ସେତେବେଳେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ମଧ୍ୟ ଋଣରେ ପରିବର୍ତ୍ତନ ହେବ  ।