ଆଜି ବନ୍ଧୁତ୍ୱ ଦିବସ

ବନ୍ଧୁତ୍ୱ ଦିବସ ଆଉ ଅଳ୍ପ ଦିନ ବାକି ରହିଲା। ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଉଥିବା ଏହି ଦିନଟି ବନ୍ଧୁ ମାନଙ୍କ ପାଇଁ ଏକ ବିଶେଷ ଦିନ। ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନହେଲେ ମଧ୍ୟ ଏହାର ମୂଲ୍ୟ ଓ ପବିତ୍ରତା ଖୁବ ଅଧିକ। ବେଳେ ବେଳେ ଏପରି କିଛି କଥା ମନରେ ଆସିଥାଏ ଯାହା ଅନ୍ୟ କାହାକୁ ନକହି ହେଉନଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ହୁଏ। ବନ୍ଧୁ ହେଉଛି ଏପରି ବ୍ୟକ୍ତି ଯାହାର ଗୁରୁତ୍ୱତା ସାରା ବିଶ୍ୱରେ ସ୍ୱତନ୍ତ୍ର। ସାଙ୍ଗମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି। ଜୀବନରେ ଯଦି ସାଙ୍ଗ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା। ସାଙ୍ଗଟିଏ ଆମକୁ ଖୁସି କରାଏ ଓ ଦିଏ। ଯେଉଁଥିରେ ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ପ୍ରେରିତ କରିଥାଏ ସାହସର ସହ ଆଗକୁ ବଢିବା ପାଇଁ। ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ। ପରିବାରର ସଦସ୍ୟଙ୍କ ମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ। ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ଫ୍ରେଣ୍ଡଶିପ୍‌ ଡେ’ ପାଳନ କରାଯାଏ। ଚଳିତ ବର୍ଷ ଏହା ଅଗଷ୍ଟ ୪ ଅର୍ଥାତ୍ ଆସନ୍ତାକାଲି ପଡୁଛି। ଭାରତ ସହିତ ବାଂଲାଦେଶ, ମ୍ୟାଲେସିଆ ଓ ୟୁଏଇରେ ମଧ୍ୟ ଆସନ୍ତାକାଲି ଫ୍ରେଣ୍ଡ୍‌ଶିପ୍ ଡେ’ ପାଳନ କରାଯିବ।  କୁହାଯାଏ ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକରେ ଜୋର ଧରିବା ଆରମ୍ଭ କରିଥିଲେ ବି ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା। ଗ୍ରୀଟିଙ୍ଗ୍‌ସ କାର୍ଡ କଂପାନୀମାନେ ଏହାକୁ ପ୍ରୋତ୍ସାହିତ କରୁଥିଲେ। ତେବେ ୧୯୫୮ ମସିହାରେ ପ୍ରଥମ ଥର ପାଇଁ ଏହାକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ପ୍ରସ୍ତାବ ଆସିଥିଲା।

‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ପ୍ରଥମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରତିଷ୍ଠାତା ଥିଲେ ପାରାଗୁଏର ଡକ୍ଟର ରମନ୍ ଆର୍ଟେମିଓ ବ୍ରାଚୋ। ସେହିବର୍ଷ ଜୁଲାଇ ୨୦ ତାରିଖରେ ସେ ପାରାଗୁଏର ପ୍ୟୁର୍ଟୋ ପିନାସ୍କୋ ସହରରେ ତାଙ୍କ ସାଙ୍ଗମାନଙ୍କ ସହିତ ରାତ୍ରଭୋଜନ କରୁଥିବା ବେଳେ ‘ବିଶ୍ୱ ବନ୍ଧୁତ୍ୱ ଦିବସ’ ପାଳନର ପ୍ରସ୍ତାବ ଦେଇଥିଲେ। ସେହି ରାତିରେ ହିଁ ‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ପ୍ରତିଷ୍ଠା ହୋଇଥିଲା ଓ ଜୁଲାଇ ୩୦ ତାରିଖରେ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଜୁଲାଇ ୩୦ ତାରିଖକୁ ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିବାକୁ ସଂଗଠନ ପକ୍ଷରୁ ଜାତିସଂଘ ନିକଟରେ ନିବେଦନ କରାଯାଇଥିଲା। ବହୁ ପ୍ରୟାସ ପରେ ଶେଷରେ ୨୦୧୧ ଏପ୍ରିଲ୍ ୨୭ ତାରିଖରେ ଜାତିସଂଘ ଜୁଲାଇ ୩୦ ତାରିଖକୁ ‘ଇଣ୍ଟରନ୍ୟାଶ୍‌ନାଲ୍ ଫ୍ରେଣ୍ଡଶିପ୍ ଡେ’ ବା ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିଥିଲେ। ତେବେ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବୋଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍‌ରେ ଜୁଲାଇ ୨୦, କୋଲୋମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ୟୁକୋଡୋର୍‌ରେ ଜୁଲାଇ ୧୪, ମ୍ୟାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍‌ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ।