ପୁଣିଥରେ ସୁରବାବାଙ୍କ ନାମରେ ଯୌନ କେଳେଙ୍କାରୀ ଅଭିଯୋଗ

ଭୁବନେଶ୍ୱର: ପୁଣିଥରେ ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ଓରଫ୍ ସୁରେନ୍ଦ୍ର ମିଶ୍ରଙ୍କ ନାମରେ ଯୌନ କେଳେଙ୍କାରୀ ଅଭିଯୋଗ ଆସିଛି । ରାତି ଅଧରରେ ବନ୍ଦ କୋଠରୀରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ବାବାଙ୍କ ଅନୁଗତ ବୋଲି ଅଭିଯୋଗ ଆଣିଛନ୍ତି ମହିଳା । ମାତ୍ର ନିର୍ଯାତନାର ସମସ୍ତ ସୀମା ଟପିଯିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲା ବେଲଗୁଣ୍ଠା ଅଂଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହିଅଚ୍ୟୁତ ନଗରର ବାସିନ୍ଦା ଦୀପ ସୁନ୍ଦର ସ୍ୱାଇଁଙ୍କ ସହ ବିବାହ ପ୍ରସ୍ତାବ ପଡିଥିଲା । ଦୀପସୁନ୍ଦର ଓ ତାଙ୍କ ମା’ ସମ୍ପୃକ୍ତ ମହିଳାଙ୍କୁ ଗଞ୍ଜାମରୁ ନେଇ ତ୍ରାହି ଅଚ୍ୟୁତ ନଗରର ଏକ ଭଡା ଘରେ ରଖିଥିଲେ । ପରେ ସୁଯୋଗ ଦେଖି ପୂଜା ବାହାନାରେ ଗତ ୨୪ ତାରିଖ ରାତିରେ ଦୀପସୁନ୍ଦରଙ୍କ ମା’ ସେହି ମହିଳାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମକୁ ନେଇ ଯାଇଥିଲେ । ସେଠାରେ ସୁରବାବା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ଏନେଇ ସୁରବାବାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।