କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

୩୩ତମ ସ୍ୱାଧିନତା ସଂଗ୍ରାମୀ ମହୋତ୍ସବ

ଭୁବନେଶ୍ୱର: କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି ।ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ୩୩ତମ ସ୍ୱଧିନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରିବ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହିଂସା ମହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେଷ୍ଠ ଦାନ । ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମତ ଦେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ସ୍ୱାଧିନତା ସଂଗ୍ରାମୀମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ ଏବଂ ଏବେ ତାଙ୍କର ୧୫୦ତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି । ସ୍ୱାଧିନ ଭାରତ ପାଇଁ ଆମର ସଂଗ୍ରାମୀମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ସ୍ୱାଧିନତା ଗାନ୍ଧୀଙ୍କ ଲକ୍ଷ୍ୟ ନ ଥିଲା । ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ୱାବଲମ୍ବୀ ଅର୍ଥନୀତି ତାଙ୍କରର ଲକ୍ଷ୍ୟ ଥିଲା । ଏ ଦିଗରେ ଆମେ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଶହୀଦ ସ୍ୱାଧିନତା ସଂଗ୍ରାମୀ ସଦନୀ ଅଧ୍ୟକ୍ଷ ସାଂସଦ ଶ୍ରୀ ଭର୍ତୃହରି ମହତାବ, ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ସ୍ୱାଧିନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି ଶ୍ରୀ କୁଳକର୍ଣ୍ଣି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡଃ ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଡଃ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବ ଲୋଗୋ ଓ ମହୋତ୍ସବର ସ୍ମରଣିକା ଉନ୍ମୋଚନ କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଅବସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।