“ଫ୍ରି କାଶ୍ମୀର” ପୋଷ୍ଟରକୁ ନେଇ ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ଜେଏନୟୁ ହିଂସାକାଣ୍ଡ ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମୁମ୍ବାଇର ଗେଟୱେରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ରେ ସାମିଲ ହୋଇଥିବା ଜଣେ ମହିଳା “ଫ୍ରି କାଶ୍ମୀର” ଧରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋମବାର ରାତି ତମାମ ମୁମ୍ବାଇର ଗେଟ ୱେରେ ବିକ୍ଷୋଭ ଜାରି ରହିଥିଲା। ଏହି ସମୟରେ ଜଣେ ମହିଳା ହଠାତ୍‌ ଛିଡ଼ା ହୋଇ ମୁକ୍ତ କଶ୍ମୀର ଗଠନର ନାରା ଦେଇଥିଲେ। ଏଥିସହ ସେ ‘ଫ୍ରି କାଶ୍ମୀର’ ଲେଖାଯାଇଥିବା ପୋଷ୍ଟର ଦେଖାଇଥିଲେ। ଖାଲି ସେତିକି ନୁହେଁ, କାଶ୍ମୀର ସ୍ଥିତି ସ୍ୱାଭାବିକ କରି ମାନବାଧିକାରକୁ ସମ୍ମାନ ଦିଆଯାଉ ବୋଲି ନାରା ଦେଇଥିଲେ।

ଏହାକୁ ନେଇ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଏଠାରେ କେଉଁ କାରଣ ପାଇଁ ଆନ୍ଦୋଳନ ହେଉଛି? କାହିଁକି ଫ୍ରି କାଶ୍ମୀର ସ୍ଲୋଗାନ ଦିଆଗଲା? ଆମେ କେମିତି ଏଭଳି ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ମୁମ୍ବାଇରେ ସହ୍ୟ କରିବୁ? ଆଜାଦୀ ଗ୍ୟାଙ୍ଗର ପକ୍ଷରୁ ସିଏମଓ ଅଫିସ ଠାରୁ ମାତ୍ର ୨ କିମି ଦୂରରେ ଫ୍ରି କାଶ୍ମୀର ସ୍ଲୋଗାନ ଦିଆଯାଉଛି। ଉଦ୍ଧବଜୀ ଆପଣ କ’ଣ ଏଭଳି ଫ୍ରି କାଶ୍ମୀର ଓ ଭାରତ ବିରୋଧୀ କାର୍ଯ୍ୟକଳାପକୁ ଆପଣଙ୍କ ନାକ ତଳେ ହେବାକୁ ଦେବେ?”

ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଟ୍ୱିଟ କରି ମଧ୍ୟ ଆନ୍ଦୋଳନର ଆଭିମୁଖ୍ୟ ଉପରେ ପ୍ରଶ୍ନ କରିଛନ୍ତି। ବିଜେପି ନେତା କ୍ରୀର୍ତ୍ତି ସୋମାୟା ଏନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।

ବିବାଦ ବଢ଼ିବାରୁ ମହାରାଷ୍ଟ୍ର ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ଏବେ ପୋଲିସ ନିଜ ଆଡ଼ୁ ଘଟଣାର ଛାନଭିନ ଆରମ୍ଭ କରିଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି।