ଝାଡଖଣ୍ଡ ବିଧାନସଭା ୪ର୍ଥ ପର୍ଯ୍ୟାୟ ନିର୍ବାଚନ: ୧୫ ଆସନ ପାଇଁ ମତଦାନ ଜାରି

ରାଂଚି: ଆଜି ଝାଡଖଣ୍ଡ ବିଧାନସଭା ପାଇଁ ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୫ଟି ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବା ନେଇ ସୂଚନା ମିଳିଛି । ଏହି ମତଦାନରେ ୨ଜଣ ମନ୍ତ୍ରୀଙ୍କ ସମେତ ୨୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ବିଶେଷ କରି ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଡିସେମ୍ବର ୨୦ରେ ମତଦାନ ଶେଷ ହେବାର ୨ ଦିନ ପରେ ଅର୍ଥାତ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା ପୂର୍ବରୁ କହିଛନ୍ତି ଯେ, ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ ।