ଭୁଲି ଯାଇଥିଲେ ଟଙ୍କାବ୍ୟାଗ; ଆରପିଏଫ ପାଇଁ ଚଳନ୍ତା ଟ୍ରେନରୁ ମିଳିଲା ୪ ଲକ୍ଷ ୫୦ ହଜାର

ରାୟଗଡା: ସମତା ଏକ୍ସପ୍ରେସରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କଲା ଆରପିଏଫ । ଶନିବାର ଟ୍ରେନରୁ ଜଣେ ଯାତ୍ରୀଙ୍କ ୪ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷିତ ଉଦ୍ଧାର କରିବା ପରେ ଉକ୍ତ ଯାତ୍ରୀଙ୍କୁ ଟଙ୍କା ବ୍ୟାଗ ହସ୍ତାନ୍ତର କରିଛି ରାୟଗଡ଼ା ଆରପିଏଫ ।

ଘଟଣାରୁ ପ୍ରକାଶ ଯେ, ଶନିବାର ବିଶାଖାପଟନମ-ନିଜାମୁଦ୍ଦିନ ଏକ୍ସପ୍ରେସ ଟ୍ରେନ ବି-୪ ବଗିରେ ରାୟଗଡାକୁ ଆସୁଥିଲେ ଯାତ୍ରୀ ସେଖ ୟେଜଦାନି । ୨୫ ନମ୍ବର ସିଟରେ ସେ ବସିଥିବା ବେଳେ ଟଙ୍କା ଭର୍ତି ବ୍ୟାଗ ଧରି ରାୟଗଡାର ଏକ ବିବାହରେ ଯୋଗ ଦେବା ପାଇଁ ଆସୁଥିଲେ । ହେଲେ ସେ ଟଙ୍କା ବ୍ୟାଗ ଭୁଲି ଟ୍ରେନରୁ ଓହ୍ଲାଇ ପଡିଥିଲେ । ଟ୍ରେନ ଛାଡିବାର ୫ ମିନଟ ପରେ ତାଙ୍କର ମନେ ପଡିଥିଲା । ତୁରନ୍ତ ସେ ଆସି ରାୟଗଡା ଆରପିଏଫକୁ ସୂଚନା ପ୍ରଦାନ କରି ଅଭିଯୋଗ ଦାଖଲ କରିଥିଲେ ।

ଅଭିଯୋଗ ପାଇବା ପରେ ଆରପିଏଫ ଇନ୍ସପେକ୍ଟର ଡି. ଏନ ତ୍ରିଲୋକ ପାଟ୍ରୋଲିଂ ଯବାନଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଯବାନ ମାନେ ସିଙ୍ଗାପୁର ରୋଡ-ଥେରୁବାଲି ରେଳଷ୍ଟେସନ ମଧ୍ୟରେ ୪ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଗକୁ ଉଦ୍ଧାର କରିଥିଲେ ।ଏହାପରେ ରାୟଗଡା ଆଣି ସମ୍ପୃକ୍ତ ଯାତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜର ଟଙ୍କା ବ୍ୟାଗ ସୁରକ୍ଷିତ ପାଇବା ପରେ ଆରପିଏଫ କର୍ମଚାରୀଙ୍କୁ ୟେଜଦାନି ସାଧୁବାଦ ଜଣାଇଥିଲେ । ତେବେ ଆରପିଏଫର ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।