‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର : ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରତିଭା ପଣ୍ଡା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଶୁକ୍ରବାର ଏହି ସଂସ୍ଥା ପରିଚାଳିତ ଟିଭି ଚ୍ୟାନେଲ୍ ନ୍ୟୁଜ୍‌୭ର ସର୍ଟ ଫିଲ୍ମ କଂଟେଷ୍ଟ ‘ସୋ-କେଶ ୨୦୨୦’ର ବିଜେତା ମାନଙ୍କୁ ଏଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ଏଥିରେ ଓଡ଼ିଆ ସିନେ ଇଣ୍ଡିଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଛନ୍ତି ।
‘ସୋ-କେଶ ୨୦୨୦’ ରେ ମୋଟ ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ ୧୨ଟି ବର୍ଗରେ କଳାକାର ଓ ନିର୍ମାତାମାନଙ୍କୁ ପୁରସ୍କୃତ କରାଯାଇଛି । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ସିନେମା ଭାବେ ବିବେଚିତ ହୋଇଛି ପ୍ରଯୋଜକ କାଳିନ୍ଦି ଚରଣ ସାହୁଙ୍କ ଚଳଚ୍ଚିତ୍ର “ଥ୍ରୁ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ” । ପ୍ରଯୋଜକଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଛି “ଗୁଡିଆ” । ଏହାର ପ୍ରଯୋଜକ ସତ୍ୟପ୍ରକାଶ ସାହୁଙ୍କୁ ୩୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦର୍ଶକଙ୍କ ପସନ୍ଦ ଭିତିରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର “ଦୁହିତା” । ଏହାର ପ୍ରଯୋଜକ ସବିତା ନାୟକଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।


ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ “ଥ୍ରୁ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ”ର ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ‘ଗୁଡିଆ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାସଲ କରିଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ । ଚଳଚ୍ଚିତ୍ର “ଅଭିନେତ୍ରୀ” ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି ପ୍ରତିଭା ପଣ୍ଡା । ସେହିପରି ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ‘ଗୁଡିଆ’ରେ ଆର୍ଯ୍ୟା ଅଭିପ୍ସା ଖୁଂଟିଆଙ୍କୁ ମିଳିଛି । ସେହିପରି ‘ଦୁହିତା’ରେ ଉତ୍କୃଷ୍ଟ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତାର ପୁରସ୍କାର ମିଳିଛି ମହମ୍ମଦ ବବ୍‌ଲୁଙ୍କୁ । କ୍ଷୁଦ୍ର ସିନେମା “ଭଙ୍ଗା ସିଲଟ”ରେ ମନଛୁଆଁ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଭାବେ କନକ ଚୌଧୁରୀ ଦଣ୍ଡସେନାଙ୍କୁ ପୁରସ୍କୃତ କରାଯାଇଛି । ଏହି ସମସ୍ତ ପୁରସ୍କୃତ କଳାକାରମାନଙ୍କୁ ନଗଦ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।
ସେହିଭଳି ଶ୍ରେଷ୍ଠ ସାମାଜିକ ବାର୍ତା ପାଇଁ କ୍ଷୁଦ୍ର ସିନେମା “ଦି ବୁକ୍‌”କୁ ସ୍ପେଶାଲ୍ ଜୁରି ପୁରସ୍କାର ମିଳିଛି । ସୂର୍ଯ୍ୟୋଦୟ ଲାଇବ୍ରେରୀ ଦ୍ୱାରା ନିର୍ମିତ ଏହି ସିନେମା ପାଇଁ ସୂର୍ଯ୍ୟୋଦୟ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ଦିଆଯାଇଛି । ସେହିଭଳି ସ୍ପେଶାଲ୍ ଜୁରି କଳାକାର ପୁରସ୍କାର ସ୍ୱାତୀ ଦିବ୍ୟଦର୍ଶନୀ ଷଢଙ୍ଗୀଙ୍କୁ ମିଳିଛି । କ୍ଷୁଦ୍ର ଚଳଚ୍ଚିତ୍ର ‘ଅପଦାର୍ଥ’ରେ ଅଭିନୟ ପାଇଁ ଏହି ପୁରସ୍କାର ବାବଦରେ ସେ ୧୦ ହଜାର ଟଙ୍କା ଟ୍ରଫି ଓ ମାନପତ୍ର ପାଇଛନ୍ତି । ଏହି ବର୍ଗରେ ସ୍ପେଶାଲ୍ ଜୁରି କନ୍‌ସେପ୍ଟ ପୁରସ୍କାର କ୍ଷୁଦ୍ର ଚଳଚ୍ଚିତ୍ର “ମଦର ନେଚର୍‌”ର ପ୍ରଯୋଜକ ସନ୍ଦୀପ ରାୟଙ୍କୁ ମଳିଛି । ତାଙ୍କୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ମିଳିଛି ।
ସୁମା ରିଅଲ୍ ମିଡିଆ ସିଇଓ ସୁନିଲ୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରଦୀପ ପ୍ରଜ୍ୱଳନରୁ ଆରମ୍ଭ ହୋଇଥିଲା । ଏଥିରେ ପ୍ରମେୟ-ନ୍ୟୁଜ୭ ଗ୍ରୁପ୍‌ର ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟନ୍ୟୁଜ୍‌.କମ୍‌ର କନ୍‌ସଲ୍‌ଟିଂ ଏଡିଟର୍ ସୁବ୍ରତ ଦାସ, ପ୍ରମେୟ-ନ୍ୟୁଜ୭ ମାର୍କେଟିଂ ଡିରେକ୍ଟର ହିମାଂଶୁ ହୋତା ବିଶେଷ ଅତିଥି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସିନେ ନିର୍ମାତା-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ଆକାଶ ଦାସ ନାୟକ, ଅଭିନେତା ମୁନା ଖାଁ ସାମିଲ୍ ହୋଇଥିଲେ । ଏହାସହ ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସୁବାସ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟୋଦୟ, ଗାୟିକା ଲୋପିତା ମିଶ୍ର ଏବଂ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଟ ମହାପାତ୍ର ନ୍ୟୁଜ୭ ସର୍ଟଫିଲ୍ମ କଂଟେଷ୍ଟ ସୋ-କେଶ ୨୦୨୦ର ଆରମ୍ଭ ଏବଂ ଲକ୍ଷ୍ୟ ନେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ସିଇଓ ସୁନିଲ୍ ଦାସ କହିଥିଲେ, କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିବା ପ୍ରମେୟ ଏବଂ ନ୍ୟୁଜ୍‌୭ ସର୍ଟଫିଲ୍ମ କଂଟେଷ୍ଟକୁ ଜାରି ରଖିବା ସହ ପ୍ରତିଭା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଚାଲିବ ।
ଶେଷରେ ନ୍ୟୁଜ୍‌୭ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ । ସୋନାଲି ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ବେଳେ ନ୍ୟୁଜ୍‌୭ ର ପୋଷ୍ଟ ପ୍ରଡକ୍ସନ୍ ହେଡ୍ ଅମରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରାଉତରାୟ, ସୁଜିତ୍ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।