ବିଗୁଡୁଛି ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟ

ଲାହୋର: ସ୍ୱାସ୍ଥ୍ୟ ଓ ମାନବୀୟ ଆଧାରରେ ୨ ଅଦାଲତରୁ ଜାମିନ ମିଳିବା ପରେ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ବିଗୁଡୁଛି । ତାଙ୍କର ପ୍ଲେଟଲେଟ ୪୫ ହଜାରରୁ ତଳକୁ ଖସି ୨୫ ହଜାରରେ ପହଞ୍ଚିଛି । ଏବେ ଶରିଫ ଶ୍ୱାସକ୍ରିୟା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶରିଫଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ହସ୍ପିଟାଲ ବାହାରେ ପ୍ରବଳ ସମର୍ଥକ ଭିଡ ଲଗାଇଛନ୍ତି । ଶରିଫଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମର୍ଥକମାନେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । 

ସୂଚନାଯୋଗ୍ୟ ଇସଲାମାବାଦ ହାଇକୋର୍ଟ ଶନିବାର ଅଲ ଅଜିଜିଆ ଦୁର୍ନୀତି ମାମଲାରେ ମଙ୍ଗଳବାର ଯାଏଁ ଜାମିନ ଦେଇଥିଲେ । ଏହି ମାମଲାରେ ଶରିଫ ୭ ବର୍ଷ ଜେଲରେ ରହିବେ । ଏହା ପୂର୍ବରୁ ଶୁକ୍ରବାର ଧନଶୋଷଣା ମାମଲାରେ ମଧ୍ୟ ଲାହୋର ହାଇକୋର୍ଟ ଜାମିନ ଦେଇଥିଲେ । ଉଭୟ ମାମଲାରେ ଜାମିନ ମେଡିକାଲ ଆଧାରରେ ଦିଆଯାଇଛି । 

ହସ୍ପିଟାଲର ସିଏମଓ ଡ. ମହମ୍ମଦ ଅୟାଜ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି, ନୱାଜ ଶରିଫଙ୍କ ପ୍ଲେଟଲେଟ ୪୫ ହଜାରରୁ ହ୍ରାସ ପାଇ ୨୫ ହଜାର ହୋଇଯାଇଛି । ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସଂଶୋଧନ ହୋଇଛି କିନ୍ତୁ ଅବସ୍ଥା ଗୁରୁତର ଅଛି । ଶରିଫଙ୍କ ଚିକିତ୍ସା ପାଇଁ ଗଠିତ ଚିକିତ୍ସା ବୋର୍ଡର ସଦସ୍ୟ ସାକିବ ଶଫିକ କହିଛନ୍ତି, ବର୍ତ୍ତମାନ ଇଲେକ୍ଟୋକାର୍ଡିଓଗ୍ରାମ ଅନୁସାରେ ସ୍ଥିତି ସାମାନ୍ୟ ଭଲ ହୋଇଛି କିନ୍ତୁ ହୃଦୟର ମାଂସପେଶୀ ପ୍ରଭାବିତ ହୋଇଥିବାରୁ ଜଟିଳତା ବଢ଼ିବ ।