ଭୁବନେଶ୍ୱର:ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହରାଇ ଓରାମଙ୍କ ଆଜି ପରଲୋକ ହୋଇଛି । ସେ ଦୀର୍ଘ ୫ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ଶଯ୍ୟାଶାୟୀ ଥିଲେ । ଭଦ୍ରାସାହିସ୍ଥିତ ବାସ ଭବନରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ବେଳକୁ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ସେ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନରୁ ୫ ଥର ବିଧାୟକ ହୋଇଥିଲେ । ତାଙ୍କର ମୃତ୍ୟୁ ଚମ୍ପୁଆ ପାଇଁ ଏକ ବଡ଼ ଧରଣର କ୍ଷତି । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସ୍ୱଗର୍ତ ଓରାମ ୧୯୪୨ ମସିହା ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ସ୍ୱର୍ଗତ କହ୍ନେଇ ଓରାମ ଓ ପତ୍ନୀଙ୍କ ନାମ ଶାନ୍ତିଲତା ଓରାମ । ଶିକ୍ଷାଗତ ଯୋଗ୍ୟତା ସ୍ନାତକ । ସେ ଜଣେ ଚାଷୀ ଥିଲେ । କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲ ପାଉଥିଲେ । ଅବସର ସମୟରେ ଗଛ ଲଗାଉଥିଲେ । ସେ ଥିଲେ ଜଣେ ଭଲ ସଂଗଠକ । ଆଦିବାସୀ ନୃତ୍ୟ, ଆଦିବାସୀ କଳାକୁ ଭଲ ପାଉଥିଲେ । ଏହାକୁ ପ୍ରୋତ୍ସାହନ ଦେବା ଦିଗରେ କାମ ମଧ୍ୟ କରୁଥିଲେ । ଅନାଥ, ଗରିବ ଲୋକଙ୍କୁ ଭଲ ପାଉଥିଲେ । ସେହିପରି ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ କାମ କରୁଥିଲେ ।