ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନ୍‌ ଶନିବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ରୁପି ସୋରେନ୍‌ ମଧ୍ୟ କୋଭିଡ୍‌-୧୯ ପିଜିଟିଭ୍‌ ବୋଲି ଜାଣିବାକୁ ମିଳିଛି। ପୂର୍ବରୁ ଶିବୁ ସୋରେନଙ୍କ ବାସଭବନରେ ନିୟୋଜିତ ୧୭ ଜଣ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସୋମବାର ତାଙ୍କ କରୋନା ଟେଷ୍ଟ୍‌ କରାଇବେ। ଜାଣିବାକୁ ମିଳିଛି ଯେ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ କରୋନା ଟେ‌ଷ୍ଟ୍‌ କରାଇବେ ମୁଖ୍ୟମନ୍ତ୍ରୀ ସୋରେନ୍‌। ହେମନ୍ତ ସୋରେନ୍‌ ତାଙ୍କ କ୍ୟାବିନେଟ୍‌ ସହଯୋଗୀ ବନ୍ନା ଗୁପ୍ତାଙ୍କ ସହ ଯୋଗାଯୋଗରେ ଆସିଥିଲେ, ଯିଏକି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମଙ୍ଗଳବାର ଦିନ ତାଙ୍କୁ କରୋନା ହୋଇଥିବା କଥା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନ୍ୟ ମନ୍ତ୍ରୀଙ୍କୁ ନେଇ ହୋଇଥିବା କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ ସେ କରୋନା ପରୀକ୍ଷା କରିଥିଲେ।

ତେବେ ଏହି ବୈଠକରେ ବନ୍ନା ଗୁପ୍ତା କୃଷି ମନ୍ତ୍ରୀ ବାଦଲ ପାଟ୍ରଲେଖଙ୍କ ପାଖରେ ବସିଥିଲେ ବୋଲି ସୂଚନା ରହିଛି। ସେ ଏକ ଟ୍ବିଟ୍‌ କରି ଲେଖିଥିଲେ, ‘ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସହ ଯୋଗାଯୋଗରେ ଥିଲେ ସେମାନେ ଦୟାକରି ନିଜ ନିଜର କୋଭିଡ୍‌-୧୯ ପରୀକ୍ଷା କରାଇ ନିଅନ୍ତୁ।

ବାନ୍ନା ଗୁପ୍ତାଙ୍କ ଶରୀରରେ କରୋନା ଭାଇରସ୍‌ର ଲକ୍ଷଣ ଥାଇ ମଧ୍ୟ ସେ ବୈଠକରେ ଯୋଗ ଦେଇଥିଲେ। ପୂର୍ବରୁ ଅଗଷ୍ଟ ୪ ତାରିଖରେ ହେମନ୍ତ ସୋ‌ରେନ୍‌ଙ୍କର କରୋନା ପରୀକ୍ଷା କରାଯାଇଥିଲା।