ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍‌ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କ୍ୟାବନେଟ୍ ସଚିବ ଦାୟିତ୍ୱ ତୁଲାଇଥିଲେ।

୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ କେରଳର ଥିରୁନେଲ୍ଲାଇ ଗ୍ରାମରେ ତାଙ୍କର ଜନ୍ମ। ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ଆଡମିନ୍‌ଷ୍ଟ୍ରେସନ୍‌ ପଢ଼ିଥିଲେ। ସେ ଏଡ୍‌ୱାର୍ଡ ଏସ୍‌ ମାସନ୍‌ ଫେଲୋସିପ୍‌ ପାଇ ଏହି କୋର୍ସ କରିପାରିଥିଲେ। ଏହି ୧୯୫୫ ବ୍ୟାଚ୍ ଆଇଏଏସ୍ ଭାରତର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବାରେ ବଡ଼ ଭୂମିକା ନିଭାଇଥିଲେ। ନିଜର କର୍ତ୍ତବ୍ୟ ପରାୟଣତା ପାଇଁ ୧୯୯୬ ମସିହାରେ ସେ ରମଣ ମାଗାସେସେରେ ସମ୍ମାନିତ ହୋଇଥିଲେ।