ଭୁବନେଶ୍ୱର : ଆଜି କୃଷି ଉପ-ନିର୍ଦ୍ଦେଶକ ପଦରେ ଥିବା ପୂର୍ବତନ କୋରାପୁଟ ଜିଲ୍ଲା କୃଷି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଖୋର ଅଧିକାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳେ ସଂପୃକ୍ତ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ପ୍ରଦୀପ କୁମାରଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୦ ଜୁଲାଇ ୨ରେ ପ୍ରଦୀପ କୁମାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା। ଏହି ଜବତ ହୋଇଥିବା ଟଙ୍କା ପ୍ରଦୀପ କେଉଁଠାରୁ ଓ କାହିଁକି ଆଣିଥିଲେ ତାହାର ସଠିକ୍ ଉତ୍ତର ଦେଇ ପାରି ନଥିଲେ। ଏହାକୁ କେନ୍ଦ୍ର କରି ସେହି ଦିନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏବଂ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତାଙ୍କର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ୩.୫କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।