ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି। ତାଙ୍କ ଅନ୍ତିମ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ଦିନ ସାଢେ ୨ଟାରେ ନିଗମବୋଧ ଘାଟଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ରବିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ନିଜାମଉଦ୍ଦିନସ୍ଥିତ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ଦିନ ସାଢେ ୧ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ୨୪ ଆକବର ରୋଡ଼ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରଖାଯାଇଥିଲା। ସେଠାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଅନ୍ତିମ ଦର୍ଶନ କରିବା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାଠ ବଦଳରେ ସିଏନଜି ଗ୍ୟାସରେ ତାଙ୍କ ଅନ୍ତିମ ସତ୍କାର କରାଯାଇଛି ବୋଲି ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତ କହିଛନ୍ତି। 

ଶନିବାର ୮୧ବର୍ଷ ବୟସରେ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ପାଳନ କରୁଛନ୍ତି।  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଶିଲାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା  ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶୀଲା ଦୀକ୍ଷିତଙ୍କ ନିଧନରେ କଂଗ୍ରେସ ଅଭୂତପୂର୍ବ କ୍ଷତି ଘଟିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।

ଦିଲ୍ଲୀ ରାଜନୀତିରେ ଶୀଲା ଦିକ୍ଷୀତ ଥିଲେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜନେତ୍ରୀ । ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳରେ ଦିଲ୍ଲୀ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା। ସଡ଼କ ଓ ଫ୍ଲଏଓଭର ନିର୍ମାଣ ଠାରୁ ଆରମ୍ଭ କରି ଉନ୍ନତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ତଥା ଦିଲ୍ଲୀକୁ ପ୍ରଦୂଷଣମୁକ୍ତ ସହର କରିବା ଦିଗରେ ତାଙ୍କ ସରକାର କାର୍ଯ୍ୟ କରିଥିଲା। ୨୦୧୩ରେ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ)ର ବିପୁଳ ବିଜୟ ପରେ ଶୀଲାଙ୍କ ସରକାରର କ୍ଷମତା ହରାଇଥିଲା। ପରେ ୨୦୧୪ରେ ସେ କେରଳର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ ମଧ୍ୟ ମାତ୍ର ୬ ମାସ ପରେ ଏହି ପଦରୁ ଇସ୍ତଫା ଦେଇଥିଲେ।