ବିଜେପିରେ ସାମିଲ ହେଲେ ସଞ୍ଜୟ ସିଂହ ଓ ପତ୍ନୀ ଅମିତା ସିଂହ

ନୂଆଦିଲ୍ଲୀ: କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବରିଷ୍ଠ ନେତା ସଞ୍ଜୟ ସିଂହ ବୁଧବାର ବିଜେପିରେ ପାଦ ଦେଇଛନ୍ତି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସଞ୍ଜୟ ନିଜର ପତ୍ନୀ ଅମିତା ସିଂହଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି।

ଏହି ସମୟରେ ସେ କହିଛନ୍ତି ଯେ, ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଭରସା ପ୍ରକଟ କରିଛନ୍ତି ଏବଂ ସେ ମଧ୍ୟ ମୋଦୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ସଞ୍ଜୟ ସିଂହ ବିଜେପିରେ ସାମିଲା ହେବାରୁ ପାର୍ଟି ଆହୁରି ମଜବୁତ ହେବ। 

ଉଲ୍ଲେଖନୀୟ,  ଆମେଠି ରାଜପରିବାରରୁ ଆସିଥିବା ଡ. ସଞ୍ଜୟ ସିଂହ ମଙ୍ଗଳବାର କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଆସାମରୁ କଂଗ୍ରେସର ରାଜ୍ୟସଭା ସାଂସଦ ଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ଆହୁରି ଗୋଟିଏ ବର୍ଷ ବାକିଥିଲା। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ କହିଥିଲେ ଯେ, କଂଗ୍ରେସ ଏବେ ମଧ୍ୟ ଅତୀତ ଆଡକୁ ଗତି କରୁଛି ଏବଂ ଏହାର ନେତାଙ୍କ ପାଖରେ ଭବିଷ୍ୟତର କୌଣସି ଯୋଜନା ନାହିଁ। ଆଜି ପୂରା ଦେଶ ମୋଦୀଙ୍କ ସହିତ ଅଛି। 

ସୂଚନାଯୋଗ୍ୟ ଯେ ସଂଜୟ ସିଂହଙ୍କ ପ୍ରଥମ ପତ୍ନୀ ଗରିମା ସିଂହ ଆମେଠୀରୁ ବିଜେପି ବିଧାୟକ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ସଂଜୟ ସିଂହ ସୁଲତାନପୁରରୁ ନିର୍ବାଚନ ଲଢିଥିଲେ, ଯେଉଁଠାରେ ସେ ବିଜେପିର ମେନକା ଗାନ୍ଧୀଙ୍କ ଠାରୁ ପରାସ୍ତ ହୋଇଥିଲେ । 

ଗାନ୍ଧୀ ପରିବାର ଅତି ନକିଟତମ ଭାବେ ଜଣାଶୁଣା ଥିବା ସଂଜୟ ସିଂହଙ୍କୁ ପରେ କଂଗ୍ରେସ ଆସାମରୁ ରାଜ୍ୟସଭା ସାଂସଦ କରିଥିଲା । ୧୯୮୦ ମସିହାରେ ନେହେରୁ-ଗାନ୍ଧୀ ପରିବାର ସଦସ୍ୟ ଆମେଠିରୁ ନିର୍ବାଚନ ଲଢିବା ନେଇ ନିଷ୍ପତି ନେଇଥିଲେ ସେତେବେଳେ ସଂଜୟ ସିଂହ, ସଂଜୟ ଗାନ୍ଧୀଙ୍କୁ ସମର୍ଥନ ଜଣାଇଥିଲେ । 

ସଂଜୟଙ୍କ ଇସ୍ତଫା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସଂସଦର ଉପର ଗୃହରେ ସଦସ୍ୟଙ୍କ ସଂଖ୍ୟା ୨୪୦କୁ ହ୍ରାସ ଘଟିଛି । ୨୪୫ ସଦସ୍ୟ ବିଶିଷ୍ଟ ଏହି ଗୃହରେ ପୂର୍ବରୁ ଚାରୋଟି ଆସନ ଖାଲି ରହିଛି । ସଂଜୟଙ୍କ ଇସ୍ତଫା ପରେ ଏବେ ଗୃହରେ ଖାଲି ପଡିଥିବା ଆସନ ସଂଖ୍ୟା ୫କୁ ବୃଦ୍ଧି ପାଇଛି।