ଭୁବନେଶ୍ୱର: ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ନନ୍ଦିନୀ ଶତପଥୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତି କ୍ଷେତ୍ରରେ ତାଙ୍କ ଅବଦାନ ଓ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଥିବା ସୃଜନ ସୃଷ୍ଚି ପାଇଁ ସେ ସର୍ବଦା ସ୍ମରଣୀୟ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହା ୮୯ ତମ ଜନ୍ମ ଜୟନ୍ତୀ । ନନ୍ଦିନୀ ଶତପଥୀ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତି କ୍ଷେତ୍ରରେ ତାଙ୍କ ଅବଦାନ ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥିବା ସୃଜନ ସୃଷ୍ଟି ପାଇଁ ସେ ସର୍ବଦା ସ୍ମରଣୀୟ। pic.twitter.com/ALgcugVHXJ
— Naveen Patnaik (@Naveen_Odisha) June 9, 2020
୯ ଜୁନ ୧୯୩୧ ମସିହାରେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ ନନ୍ଦିନୀ । ବଡ ହୋଇ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ମଧ୍ୟ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। ଏଥିସହ ନନ୍ଦିନୀ ଶତପଥୀ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।