ସବୁ ଜିଲ୍ଲାରେ ନିର୍ମାଣ ହେବ ଫୋରେନ୍‌ସିକ୍ ଲାବୋରେଟୋରି

ଭୁବନେଶ୍ବର : ରାଜ୍ୟର ୩୬ଟି ପୁଲିସ ଜିଲ୍ଲାରେ ଫୋରେନ୍‌ସିକ୍ ସାଇନ୍ସ ଲାବୋରେଟୋରି ଖୋଲିବାକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାହା ମଧ୍ୟରୁ ୨୩ଟି ଜିଲ୍ଲାରେ ଲାବୋରେଟୋରି କାର୍ଯ୍ୟ କରୁଛି। ଅବଶିଷ୍ଟ ୧୩ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଶ୍ନକାଳରେ ମୌଷଧି ବାଗ୍‌ଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ଜିଲ୍ଲା ଲାବୋରେଟୋରି ବାଦ୍ ଭୁବନେଶ୍ବରର ରସୁଲଗଡ଼ରେ ରାଜ୍ୟସ୍ତରୀୟ ଲାବୋରେଟୋରି ଏବଂ ସମ୍ବଲପୁର, ବାଲେଶ୍ବର ଓ ବ୍ରହ୍ମପୁରରେ ଆଞ୍ଚଳିକ ଲାବୋରେଟୋରି ଅଛି ବୋଲି ମନ୍ତ୍ରୀ ଜଣାଇଥିଲେ। ଅତିରିକ୍ତ ପ୍ରଶ୍ନ ପଚାରି ସୁରେଶ ରାଉତରାୟ ଭୁବନେଶ୍ବରରେ ଥିବା ଲାବୋରେଟୋରିକୁ ଆଧୁନିକ ତଥା ସୁଦୃଢ଼ କରିବାକୁ କହିଥିଲେ। ସତ୍ୟ ନାରାୟଣ ପ୍ରଧାନ, ପ୍ରଦୀପ ଦିଶାରୀ, ସନ୍ତୋଷ ସିଂହ ସାଲୁଜା ଓ ପ୍ରଫୁଲ୍ଲ ସାମଲ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।