ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଆମେରିକା, କାନାଡା, ଋଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ ଜଣ ଶିଳ୍ପୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ପର୍ଯ୍ୟଟନ ନିର୍ଦ୍ଦେଶକ କୋଣଶର୍କ ବାଲୁକାକଳା ଉତ୍ସବ ଉପରେ ଏକ ଭିଡିଓ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଶେଷ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅତିଥି ଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ପରମ୍ପରା ଉପରେ ସେମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରିଷ୍ଣନ ଏବଂ ପର୍ଯ୍ୟଟନ ବିଭାଗର ବିରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।