କୋରୋନା ମୁକାବିଲା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ଆର୍ଥିକ ପ୍ୟାଜେକ୍ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆର୍ଥିକ ପ୍ୟାକେଜ ଘୋଷଣା । ଏହି ପ୍ୟାକେଜ ଗରିବଙ୍କ ପାଇଁ ପ୍ରସ୍ତୁତ । ଯେପରି କୌଣସି ଲୋକ ଭୋକଉପାସରେ ନ ରୁହେ ସେଥିପାଇଁ ଏହି ତତ୍କାଳ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରିଲ ୧୪ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ବହୁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ଗରିବ, ଗ୍ରାମୀଣ, ମହିଳା ଓ ଖଟିଖିଆ ଏଥିରେ ଅଧିକ ପ୍ରଭାବିତ ହେଲେଣି । ସେମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ସମସ୍ତ ଜରୁରୀ ସାମଗ୍ରୀ ପହଂଚାଇବା ପାଇଁ ଅର୍ଥମନ୍ତ୍ରୀ ଆର୍ଥିକ ପ୍ୟାକେଜ ଆଣିଛନ୍ତି ।

ମୁଖ୍ୟ ଘୋଷଣା:

-ପ୍ରବାସୀ ଶ୍ରମିକ, ଗ୍ରାମୀଣ ଓ ସହରୀ ଗରିବ ଓ ମହିଳାଙ୍କ ସହଯୋଗ ପାଇଁ ୧,୭୦,୦୦୦କୋଟି ଟଙ୍କାର ପ୍ୟାକେଜ ।

-କୋରୋନା ଭାଇରସ ଲଢେଇର ବଡ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କଭର ଘୋଷଣା ।

-ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଯୋଜନା(ଆସନ୍ତା ୩ ମାସ ପାଇଁ )ରେ ୮୦ କୋଟି ଗରିବ ଲୋକ(ଭାରତ ଜନସଂଖ୍ୟା ଦୁଇ-ତୃତୀୟାଂଶ) ସାମିଲ ହେବେ । ପୂର୍ବରୁ ହିଁ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଚାଉଳ ଓ ଗହମ ବଣ୍ଟନ ହୋଇଥିଲା । ଏହା ବ୍ୟତୀତ ଅତିରିକ୍ତ ୫ କିଲୋ ମାଗଣାରେ ମିଳିବ । ସେହିପରି ଅତିରିକ୍ତ ୧ କିଲୋ ପଲ୍ସ(ଡାଲି) ଦିଆଯିବ ।

-ସିଧାସଳଖ ନଗଦ ସ୍ଥାନାନ୍ତର ମାଧ୍ୟମରେ ୮.୬୯ କୋଟି କୃଷକ ତୁରନ୍ତ ଉପକୃତ ହେବେ । ସେମାନଙ୍କୁ ଏପ୍ରିଲର ପ୍ରଥମ ସପ୍ତାହରେ କିସ୍ତିର ୨୦୦୦ ଟଙ୍କା ଦିଆଯିବ ।

-ମନରେଗା ଜରିଆରେ ୫ କୋଟି ପରିବାରକୁ ଲାଭ ମିଳିବ । ଅତିରିକ୍ତ ଆୟ ଭାବରେ ପ୍ରତି କର୍ମଚାରୀଙ୍କ ହାରାହାରି ୨୦୦୦ ଟଙ୍କା ବୃଦ୍ଧି ହେବ ।

-ବୃଦ୍ଧ, ଦିବ୍ୟାଙ୍ଗ, ପେନସନଭୋଗୀଙ୍କୁ କଭର ଡେବିଟି ମାଧ୍ୟମରେ ୨ଟି କିସ୍ତିରେ ଅତିରିକ୍ତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ୩ ମାସ ଦିଆଯିବ । ଏହା ଫଳରେ ୩ ଲୋକ ଉପକୃତ ହେବେ ।

-ଜନଧନ ମହିଳା ଖାତାଧାରୀଙ୍କୁ ଆସନ୍ତା ୩ ମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ଦିଆଯିବ ।