କନ୍ଧମାଳ, କଳାହାଣ୍ଡି ଓ ରାୟଗଡାରେ ଜଳମଗ୍ନ

କନ୍ଧମାଳ:ଲଗାଣ ବର୍ଷା ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମ ଜଳମଗ୍ନ ଅବସ୍ଥାରେ ରହିଛି ।  କନ୍ଧମାଳ ଜିଲ୍ଲାରେ ମଧ୍ୟ କେତେକ ରାସ୍ତା ଧୋଇ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ଗତ ୨ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଦକ୍ଷିଣ, ପୂର୍ବ ଓଡିଶାର ଅନେକ ଜିଲ୍ଲାର ପ୍ରବଳ ବର୍ଷା ଜାରି ରହିଛି । ଏହା ଫଳରେ କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଚନ୍ଦପୁର ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେମାନେ ଏକ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ।

ଏତତ୍ ବ୍ୟତୀତ କନ୍ଧମାଳରେ ମଧ୍ୟ ବର୍ଷାର ପ୍ରକୋପ ଦେଖାଦେଇଛି । ଜିଲ୍ଲାର ତୁମୁଡିବନ୍ଧ ମଣ୍ଡଳପଦରରେ ଅସ୍ଥାୟୀ ପୋଲ ଧୋଇଯାଇଛି । ଏହାସହ ଏକ ଅସ୍ଥାୟୀ ରାସ୍ତା ମଧ୍ୟ ପାଣି ଘେରରେ ରହିଛି । ବାଲିଗୁଡାର ବାଟଗୁଡା ପୋଲ ମଧ୍ୟ ଭାସି ଯାଇଛି ।  ଯଦ୍ୱାରା ତୁମୁଡିବନ୍ଧରୁ ରାମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏପରିକି କଳାହାଣ୍ଡି-ରାୟଗଡାକୁ ଯାତାୟାତ ପ୍ରଭାବିତ ହୋଇଛି ।

ଆହୁରି ମଧ୍ୟ ରାୟଗଡା ଗୁଣୁପରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୮୪ ମିଟର ଥିବା ବେଳେ ସକାଳ ୬ଟା ସୁଧା ଜଳସ୍ତର ୮୪.୪୫ ମିଟର ରହିଥିଲା । ଜିଲ୍ଲାର ମାଳିସିରିପୁର-ବିରିଡିଗୁଡା ବ୍ରିଜ ମଧ୍ୟ ଧୋଇ ହୋଇଯାଇଛି । ଫଳରେ ୩ଟି ଗ୍ରାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।