ବନ୍ୟାରେ ଭାସୁଛି ୪ ରାଜ୍ୟ, ମୃତ୍ୟୁ ସଂଖ୍ୟା ୨୦୨କୁ ବୃଦ୍ଧି

ହାଇଦ୍ରାବାଦ: ବନ୍ୟାରେ ଚାରୋଟି ରାଜ୍ୟର ସ୍ଥିତି ବେହାଲ । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜୁରାଟର ସ୍ଥିତି ସଙ୍ଗୀନ । ବର୍ତ୍ତମାନ ସୁଦ୍ଧା ବନ୍ୟା ନେଲାଣି ୨୦୨ ଜଣଙ୍କ ଜୀବନ । ଚାରି ରାଜ୍ୟରେ ୬୮ ଜଣ ଏବେବି ନିଖୋଜ ।

କେରଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ଦାଉରୁ କେହି ରକ୍ଷା ପାଉନାହାନ୍ତି । ଏବେ ସୁଦ୍ଧା ରାଜ୍ୟରେ ୮୬ଜଣଙ୍କ ଜୀବନ ନେଲାଣି ବନ୍ୟା । ୫୩ ଜଣଙ୍କ ପତ୍ତା ମିଳୁନି । ସେପଟେ ରାଜ୍ୟ ସରକାର ବନ୍ୟା ପୀଡିତଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ରିଲିଫ୍‌ ବଣ୍ଟନ କରୁଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ମଧ୍ୟ ସମାନ ସ୍ଥିତି । ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ ରାଜ୍ୟରେ ୪୬ ଜଣ ପ୍ରାଣ ହରାଇଛନ୍ତି । ୧୨ ଜଣ ନିଖୋଜ ଥିବା ଜଣାପଡିଛି । ବନ୍ୟା ସ୍ଥିତି ଏପରି ହୋଇଛି ଯେ ମନ୍ଦିର ମଧ୍ୟରୁ ଭଗବାନଙ୍କ ମୂର୍ତ୍ତି ମଧ୍ୟ ଭାସିଯାଇଥିବା ଦେଖିବାକୁ ମିଳିଛି । ତେବେ ଆଜି ତୃଣମୂଳସ୍ତରରେ ସ୍ଥିତି ପରଖିବା ପାଇଁ ବନ୍ୟାଞ୍ଚଳ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ସେହିପରି ମହାରାଷ୍ଟ୍ରରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏଠାରେ ତିନି ଜିଲ୍ଲାରେ ୪୩ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ୩ ଜଣ ନିଖୋଜ ଥିବା କୁହାଯାଉଛି । ସାଙ୍ଗଲି, କୋହ୍ଲାପୁର ଓ ସତାରା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩ କୁ ଛୁଇଁଥିବା ଜଣାପଡିଛି । ସେପଟେ ଗୁଜୁରାଟରେ ମଧ୍ୟ ପରିସ୍ଥିତି ଅଣାୟତ୍ତ । ବନ୍ୟାରେ ଏବେ ସୁଦ୍ଧା ୨୭ଜଣଙ୍କ ଜୀବନ ଯାଇଛି । ନିଖୋଜଙ୍କ ସୂଚନା ମିଳିନାହିଁ । ସରକାର ବନ୍ୟା ପୀଡିତଙ୍କୁ ରିଲିଫ୍‌ ସାମଗ୍ରୀ ଯୋଗାଇଦେଉଛନ୍ତି । ଏହା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।ତେବେ ଲଗାଣ ବର୍ଷା ଏସବୁ ରାଜ୍ୟର ହାଲ ବେହାଲ କରୁଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପୀଡିତଙ୍କ ପାଖକୁ ଯାଇ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି ।