ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । କଲମାରୁ ୫ ଲକ୍ଷ, ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି । ଏମିତି ଭାବେ ହୀରାକୁଦରେ ବର୍ତ୍ତମାନ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ।

ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ଆମେ ହୀରାକୁଦରୁ ୬ଲକ୍ଷ କ୍ୟୁସେକ ଜଳ ବର୍ତ୍ତମାନ ଛାଡୁଛୁ । ଏବେ ହୀରାକୁଦର ୨୪ଟି ଗେଟ ଖୋଲିଛି । ଆଗକୁ ଆଉ ୩୬ଟି ଗେଟ ଖୋଲାଯିବ । ହୀରାକୁଦ ପରେ ହୀରାକୁଦ ତଳେ ଥିବା ମହାନଦୀରେ ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ । ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁୁ ୩୬ ଘଣ୍ଟା ଲାଗିବ । ଏ ସମସ୍ତ ଜଳ ଏକାଠି ହୋଇ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । ମୁଣ୍ଡଳୀରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଲେ ମହାନଦୀର ତଳମୁଣ୍ଡରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ହୋଇଥାଏ । ସୁତରାଂ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି । ଏହା ଦ୍ୱାରା ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।