ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ

ଭୁବନେଶ୍ୱର: ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ । ଫଳରେ ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତରେ କୌଣସି ଅସୁବିଧା ରହିବ ନାହିଁ । ଏନେଇ ବେସାମରିକ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବୀ ପୂରା ହୋଇଛି । ଆସନ୍ତା ୨୦୨୦ ଜାନୁୟାରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦର ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ । ଉଡ଼ାଣ ନେଇ ଏୟାର ଇଣ୍ଡିଆ ବିମାନ ସହମତି ଜଣାଇଥିବା ଟ୍ୱିଇଟ କରି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୨୨ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଶାରୁ ବିମାନ ଚଳାଚଳ ସୁବିଧା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ଏସ୍ ପୁରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସୁରଟର ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ସେଠାରୁ ଏହି ଦାବୀ ପୂରଣ ନେଇ ପ୍ରତିଶ୍ରୁତି ମିଳିଥିଲା ।