ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ ସେବା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଆସୁଛି ୧୨ଟି ବିମାନ । ଦୁଇ ମାସର ବ୍ୟବଧାନ ପରେ ଆଜିଠୁ ଚଳାଚଳ ଆରମ୍ଭ ହେଉଛି ଘରୋଇ ବିମାନ । କରୋନା ପାଇଁ ମାର୍ଚ୍ଚ ୨୫ରୁ ଦେଶର ସମସ୍ତ ବିମାନବନ୍ଦର ଠପ ହୋଇପଡିଥିବା ରନୱେ ଆଜିଠାରୁ ଚଳଚଂଚଳ ହୋଇ ଉଠିଛି । ଏଥିପାଇଁ ବିମାନ ବନ୍ଦରରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦର ଗୁଡିକରେ ସଫେଇ କାର୍ଯ୍ୟ କରାଯିବା ସହ ସ୍ୱୟଂଚାଳିତ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଦେଶରେ ଆଜି ୩୮୦ଟି ବିମାନ ଉଡାଣ ଭରିବେ । ଏହାରି ଭିତରେ ୪ଟି ରାଜ୍ୟ ବିମାନ ଚଳାଚଳ ପାଇଁ ଆପତି ପ୍ରକାଶ କରିଛନ୍ତି ।

ତାମିଲନାଡୁ, ଛତିଶଗଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବିଭିନ୍ନ କାରଣ ଦେଖାଇ ନିଜ ନିଜ ରାଜ୍ୟରେ ବର୍ତମାନ ବିମାନ ଚଳାଚଳ ନକରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ମହାରାଷ୍ଟ ସରକାର କହିଛନ୍ତି କରୋନା ଯୋଗୁଁ ରାଜ୍ୟର ସ୍ଥିତି ବର୍ତମାନ ଠିକ ନାହିଁ । ତେଣୁ ଅତିକମରେ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନ ଚଳାଚଳ କରାଯିବନି । ରାଜ୍ୟରେ କେବଳ ସ୍ୱତନ୍ତ୍ର ବିମାନ ଚଳାଚଳ କରାଯିବ । ଅନ୍ୟପଟେ ତାମିଲନାଡୁ ଓ ଛତିଶଗଡ କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ବିମାନ ଚଳାଚଳ ପାଇଁ ଆପତି ପ୍ରକାଶ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ବାତ୍ୟା ଅମ୍ପାନ କ୍ଷତି ଦର୍ଶାଇ ରାଜ୍ୟରେ ବିମାନ ଚଳାଚଳ ମେ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅପିଲ କରିଛି ।

ସେପଟେ ଆଜି ଭୁବନେଶ୍ୱରରେ ବି ଘରୋଇ ବିମାନ ସେବା । ତେବେ ଉଡାଣ ଆରମ୍ଭରୁ ସମସ୍ୟା ସୃଷ୍ଟି ହୋଇଛି । ସେପଟେ ବିଭିନ୍ନ କାରଣରୁ ଭୁବନେଶ୍ୱରରୁ ବାତିଲ ହୋଇଛି ୫ ଫ୍ଲାଇଟ । ଏଥିମଧ୍ୟରେ ରହିଛି ଭୁବନେଶ୍ୱର ହାଇଦ୍ରାବାଦ, ଭୁବନେଶ୍ୱର-ଝାରୁସୁଗୁଡା, ଭୁବନେଶ୍ୱର-କୋଲକାତା ବିମାନ ସେବା । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ସ୍ୱାଭାବିକ ସ୍ଥିତି ଫେରିନଥିବାରୁ ସେହି ସ୍ଥାନକୁ ବିମାନ ବାତିଲ କରାଯାଇଛି । ୨୮ ତାରିଖ ଯାଏଁ ଏଭଳି ସ୍ଥିତି ରହିପାରେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ତେବେ ଦିଲ୍ଲୀକୁ ବିମାନ ଚାଲିଛି । ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କାନିଂ କରାଯାଉଛି । ବିମାନବନ୍ଦର କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବସ ବାଧ୍ୟତାମୂଳକ କରାଯାଇଛି ।