ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ୧୫୦ଲୋକ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ । ବରଫଖଣ୍ଡ ତରଳି ହଠାତ ମାଡ଼ି ଆସିଲା ମାଟି ଅତଡ଼ା ମିଶା ପାଣି । ରବିବାର ଦିନ ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଜୋଶିମଠ ଧଉଳି ଗଙ୍ଗା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ପରିସ୍ଥିତି ଧଉଳି ଗଙ୍ଗା କୂଳରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଚମୋଲି ଜିଲ୍ଲାର ରେଣି ଗାଁ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡ଼ି ଆସୁଥିବାର ଛାତିଥରା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟିବା ନେଇ କେହି ଆଶଙ୍କା କରିନଥିବା ବେଳେ ହଠାତ୍ ହିମସ୍ଖଳନ ହେବାରୁ ୧୦୦-୧୫୦ଲୋକ ନିଖୋଜ ହୋଇଯାଇଥିବା କୁହାଯାଉଛି।

ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏଥିରେ ଅନେକ ଗ୍ରାମବାସୀଙ୍କ ଘର ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏହି ହିମସ୍ଖଳନ କାରଣରୁ ବିଦ୍ୟୁତ୍ ପ୍ରକଳ୍ପ ଋଷି ଗଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ୫୦ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ୧୦ଟି ଟିମର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ଏହା ସହ ଭାରତୀୟ ସେନାର ପ୍ରାୟ ୬୦୦ଯବାନ ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ହେଲିକପ୍ଟରକୁ କାମରେ ଲଗାଯାଇଛି।

flash flood in uttarakhand