ଏକଜିଟ ପୋଲ : ରାଜସ୍ଥାନରେ ଫେରିବ କଂଗ୍ରେସ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ବିଜେପିକୁ ଝଟକା

ଭୁବନେଶ୍ୱର : ପାଞ୍ଚ ରାଜ୍ୟର ଭୋଟ ଗ୍ରହଣ ଆଜି ସରିଛି । ୧୧ରେ ଆସିବ ରେଜଲ୍ଟ । ହେଲେ ତା ପୂର୍ବରୁ ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ମାନଙ୍କର ଏକଜିଟ ପୋଲ । ମତ ଦାନ ସମୟରେ ଭୋଟରଙ୍କ ମତ ନେଇ ପ୍ରସ୍ତୁତ ହୋଇଥିବା ଏହି ଏକଜିଟ ପୋଲରେ ଅଧିକାଶଂ ସଂସ୍ଥା ବିଜେପିକୁ ଝଟକା ଲାଗିବ ବୋଲି କହିଛନ୍ତି । ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲ କହୁଛି । ହେଲେ ମଧ୍ୟପ୍ରଦେଶ,ତେଲେଙ୍ଗାନା ଓ ଛତିଶଗଡରେ ବିଜେପିକୁ କଂଗ୍ରେସ କଡା ଜବାବ ଦେବ ବୋଲି ଆକଳନ ହୋଇଛି । ଆଉ ଯଦି ଏହି ରିପୋର୍ଟ ସତ ହେଲା ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଜେପିକୁ ଅଡୁଆରେ ପକାଇବ । ଏହା ସହ ଏହି ଫଳା ଫଳ କଂଗ୍ରେସକୁ ବେଶ ଉତ୍ସାହିତ କରିବ ।

ଇଣ୍ଡିଆ ଟୁଡେ ଏକ୍‌ଜିଟ୍‌ ପୋଲ୍‌

ଅନୁଯାୟୀ, ରାଜସ୍ତାନରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଲାଭ କରିବ। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୯ରୁ ୧୪୧ ଆସନ ଜିତିବ ବୋଲି ସୂଚନା ମିଳିଛି। ତେଣେ ଶାସକ ବିଜେପି ୫୫ ରୁ ୭୨ ଆସନରେ ସୀମିତ ହେବା ସମ୍ଭାବନା ଦେଖା ଯାଇଛି।
ଛତିଶଗଡ଼ରୁ କଂଗ୍ରେସ ପାଇଁ ଶୁଭ ସୂଚନା ମିଳିଛି । ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ୩ ପାଳି ଶାସନ କରିଥିବା ବିଜେପିକୁ ଭୋଟର ପୁଣିଥରେ ଗାଦନିସୀନ କରିବା ମିଜାଜରେ ନାହାନ୍ତି। ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ, ଏଠାରେ କଂଗ୍ରେସ ୫୫ରୁ ୬୫ ଆସନ ଲାଭ କରିବା ଆକଳନ ହୋଇଥିବା ବେଳେ ବିଜେପି ୨୧ରୁ ୩୧କୁ ସଂକୁଚିତ ହେବ। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବାର ସ୍ପଷ୍ଟ ନ ଥିଲେ ବି ତାଗଡ଼ା ପ୍ରଦର୍ଶନ କରିବାର ସଂଙ୍କେତ ମିଳିଛି।
ମଧ୍ୟପ୍ରଦେଶରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଭିତରେ କଡା ଟକ୍କର ହେବ। ପରିସ୍ଥିତି ଏପରି ହେବ କି ଅଳ୍ପ କେତେକ ଆସନ ଲାଗି ବିଜେପି ହାତରୁ ଶାସନ ଡୋରି ଖସିବ ଓ କଂଗ୍ରେସ ଶାସନରେ ବସିବା ସ୍ଥିତି ସୃଷ୍ଟି ହୋଇପାରେ। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ୧୦୨ ରୁ ୧୨୦ ଓ କଂଗ୍ରେସ ୧୦୪ ରୁ ୧୨୨ ଆସନ ପାଇବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି।

୨୦୧୮ ବିଧାନସଭା ନିର୍ବାଚନରେ ତେଲେଙ୍ଗନାରେ ଶାସନ ଡୋରୀ ଟିଆରଏସ୍‌ ହାତରେ ରହିବ ବୋଲି ଫଳାଫଳ ପୂର୍ବାନୁମାନରୁ ସୂଚନା ମିଳିଛି। ସମୁଦାୟ ୧୨୦ ଆସନରୁ ଏଠାରେ ଟିଆର୍‌ଏସ୍‌ ୭୯ ରୁ ୯୧ ଆସନ ପାଇବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାଯାଇଛି। ଏଠାରେ ବିଜେପି ୧ରୁ ୩ ଓ କଂଗ୍ରେସ ୨୧ରୁ ୩୩ ଟି ଆସନ ପାଇବା ସୂଚନା ମିଳିଛି।

ଏକଜିଟ ପୋଲ ଏକଜାଟ ପୋଲ ହେବ କି ନାହିଁ ତାହା ୧୧ ତାରିଖ ଫଳା ଫଳା ପ୍ରକାଶ ପାଇବା ପରେ ହିଁ ଜଣା ପଡିବ ।