ଆନ୍ଧ୍ର-ଓଡ଼ିଶା ସୀମାରେ ୫ ନକ୍ସଲ ନିପାତ

ବିଶାଖାପାଟନମ୍‌: ରବିବାର ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣ ନକ୍ସଲ ନିପାତ ହୋଇଛନ୍ତି। ପୁଲିସ୍‌ କହିବା ଅନୁଯାୟୀ, ଗୁମିରେଭୁଲ୍ଲୁ ଗାଁରେ ଏହି ଗୁଳି ବିନିମୟ ଘଟିଥିଲା।

ଏହି ଅଞ୍ଚଳରେ ନକ୍ସଲ ନିରୋଧୀ, ଗ୍ରେହାଉଣ୍ଡସ୍‌ ଏବଂ ସ୍ୱତନ୍ତ୍ର ସୁରକ୍ଷା ଫୋର୍ସ କମ୍ବିଂ ଅପରେସନ୍‌ ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ପରେ ଏହି ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟ ଥମିବା ପରେ ୫ ଜଣ ନକ୍ସଲଙ୍କ ଶବ ମିଳିଥିଲା। ଏତଦ୍‌ବ୍ୟତୀତ ଅସ୍ତ୍ରଶସ୍ତ୍ର ଓ କିଟ୍‌ ବ୍ୟାଗ୍‌ ମଧ୍ୟ ଘଟଣାସ୍ଥଳରୁ ମିଳିଥିଲା।

ପୁଲିସ୍‌ ପକ୍ଷରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସିପିଆଇ (ମାଓବାଦୀ) ପକ୍ଷରୁ ବାର୍ଷିକୀ ପାଳନ କରାଯାଉଥିବାରୁ ଏହି ଅବସରରେ ପୁଲିସ୍‌ କମ୍ବିଂ ଅପରେସନ୍‌ ଚଳାଇଛି। ଗତ ବର୍ଷ ସମାନ ଜିଲ୍ଲାରେ ସେପ୍ଟେମ୍ବର ୨୩ ତାରିଖରେ ଜଣେ ଟିଡିପି ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକଙ୍କୁ ନକ୍ସଲ ହତ୍ୟା କରିଥିଲେ।