ରାସ୍ତାରେ ଖେଳିଲେ ମାଛ, ଲୋକେ ନେଲେ ବୋହି

ରାଉଲକେଲା: ଗୋଟିଏ ପଟେ ଭାରତ ବନ୍ଦ ନେଇ ଲୋକେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଭାରତ ବନ୍ଦ ଯୋଗୁଁ ରାଉଲକେଲାରେ ଆନ୍ଦୋଳନକାରୀମାନେ ଏକ ମାଛ ବୋଝେଇ ଭ୍ୟାନକୁ ଅଟକାଇବାବେଳେ ଦୁର୍ଭଗ୍ୟବଶତଃ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ଶହ ଶହ ମାଛ ରାସ୍ତା ଉପରେ ପଡିଯାଇ ଛଟପଟ ହେଉଥିଲେ । ଏହା ଦେଖି ସେଠାରେ ଥିବା ଲୋକେ ନିଜ ଘରକୁ ମାଛ ବୋହିବାରେ ଲାଗିଲେ । ଘଟଣାସ୍ଥଳରେ ପୋଲିସ ପହଂଚିବା ବେଳକୁ ଲୋକେ ମାଛ ନେଇ ଘରକୁ ପଳାଇଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ,  ଶ୍ରମିକ ସଂଗଠନଗୁଡ଼ିକର ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା। ଏତିକି ବେଳେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବନ୍ଧମୁଣ୍ଡାରୁ ମାଛ ନେଇ ବିଶ୍ରାଛକ ବାଟେ ରିଙ୍ଗ୍‌ ରୋଡ୍‌ ଦେଇ ଡିଏଭି ମାଛ ମାର୍କେଟ୍‌ ଅଭିମୁଖେ ଯାଉଥିଲା। ବିଶ୍ରାଛକ ଠାରେ ରାସ୍ତା ଅବରୋଧ କରିଥିବା ପ୍ରତିବାଦକାରୀମାନେ ସେ ପିକ୍‌-ଅପ୍‌ ଭ୍ୟାନ୍‌ଟିକୁ ଅଟକାଇବାକୁ ଯାଉଥିବା ବେଳେ ତାହା ଗୋଲେଇଛକ ବାଟେ ବୁଲି ଖସିଯିବାକୁ ବାହାରିଥିଲା। ତରବରରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ସେଠାରେ ଓଲଟି ପଡ଼ିଲା। ଫଳରେ ସେଥିରେ ଥିବା ଜିଅନ୍ତା ରୋହି, ଭାକୁର ଓ ମିରିକାଳି ଆଦି ମାଛଗୁଡ଼ିକ ରାସ୍ତାରେ ପଡ଼ି ବାଡ଼େଇଛାଟି ହୋଇଥିଲେ।

ପ୍ଲାଂଟସାଇଟ୍‌ ପୋଲିସ ଦୁର୍ଘଟଣାସ୍ଥଳରେ ପହଂଚି ଓଲଟି ପଡ଼ିଥିବା ପିକ୍‌-ଅପ୍‌ ଭ୍ୟାନ୍‌କୁ କ୍ରେନ୍‌ ସାହାଯ୍ୟରେ ଉଠାଇ ଜବତ କରିବା ପୂର୍ବରୁ ସ୍ଥାନୀୟ ଲୋକେ କିଛି ମାଛ ନେଇଯାଇଥିବା ଜଣାପଡ଼ିଛି।