ପ୍ରଥମ ଓଡ଼ିଆ ହେଲେ ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ

ବ୍ରହ୍ମପୁର: ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ ପଦବୀରେ ପ୍ରଥମ ଓଡ଼ିଆ ଭାବେ ସଞ୍ଜୟ ଦର୍ଶନ ବେହେରା ଅବସ୍ଥାପିତ ହୋଇଛନ୍ତି । ସଞ୍ଜୟ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ରାଧାକୃଷ୍ଣ ସାହିର ମୂଳବାସିନ୍ଦା। ଆର୍ମି (ମେଡିକାଲ୍‌)ର ମେଜର୍ ଜେନେରାଲ୍‌ରୁ ପ‌ଦୋନ୍ନତି ପାଇ ସେ ଲ୍ୟୁଟାନାଂଟ ଜେନେରାଲ୍ ଭାବେ ଗତକା‌ଲି ଦାୟିତ୍ବ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସଂଜୟ ହେଉଛନ୍ତି ସ୍ବର୍ଗତଃ ସୁଦର୍ଶନ ବେହେରାଙ୍କ ବଡ଼ପୁଅ। ସେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ କଲେଜରୁ ୧୯୮୨ ମସିହାରେ ଡାକ୍ତରୀ ପାସ୍ କରିଥିଲେ। ଦିଲ୍ଲୀସ୍ଥିତ ଏମ୍‌ସରୁ ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍‌ରେ ସ୍ନାତକୋତର ଶିକ୍ଷା ସମାପ୍ତ ପରେ ନ୍ୟାସନାଲ୍ ଡିଫେନ୍ସ୍ କଲେଜରୁ ଏମ୍‌ଫିଲ୍‌ ଡିଗ୍ରି ହାସଲ କରିଥିଲେ। ଏହା ପୂର୍ବରୁ ସେ ଆମେରିକାର ଆର୍ମିରେ ଦୁଇଥର ତାଲିମ ନେଇଥିଲେ। ଆର୍ମିରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେ ‘ଅତି ବିଶିଷ୍ଟ ସେବା ମେଡାଲ୍’ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ଜାନୁଆରି ୨୬ରେ ଏହି ମେଡାଲ୍ ଘୋଷଣା ହୋଇଥିଲା। ରାଷ୍ଟ୍ରପତି ଏହାକୁ ପ୍ରଦାନ କରିବେ। ଗତ ଜାନୁଆରି ୨୩ ତାରିଖରେ ମୁମ୍ବାଇରେ ସଞ୍ଜୟଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ସେଠାରେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ସଞ୍ଜୟ ମୁଖାଗ୍ନି ଦେଉଥିବା ‌ସମୟରେ ମେଡାଲ୍ ଘୋଷଣା ସଂକ୍ରାନ୍ତରେ ଶୁଣିବାକୁ ପାଇଥିଲେ। ବାପାଙ୍କ ଦେହାନ୍ତର ଠିକ୍‌ ଏକ ମାସ ପରେ ଏହି ପଦୋନ୍ନତି ମିଳିଛି। ବାପା ବଂଚିଥିଲେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତେ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟଙ୍କ ପତ୍ନୀ ସିଲୋନି ଜଣେ ଗୃହିଣୀ ହୋଇଥିବା ବେଳେ ପୁଅ ଅକ୍‌ସିତ୍ କର୍ପୋରେଟ୍‌ କମ୍ପାନିରେ କାର୍ଯ୍ୟରତ। ଏକମାତ୍ର ଝିଅ ୟାଶ୍‌ନା ହସ୍ପିଟାଲିଟି ମ୍ୟାନେଜମେଂଟ କୋର୍ସ କରିବା ପରେ ଚାକିରି କରୁଛନ୍ତି।