ହାମିଲଟନ: ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ ହୋଇଛି । ପ୍ରଥମେ ଭାରତ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୩୪୭ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୩୪୮ ରନ କରିବା ସହ ବିଜୟୀ ହୋଇଛି ।
ଭାରତ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବିଶାଳ ୩୪୮ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ନିକୋଲସ ୭୮ ଓ ଗପ୍ଟିଲ ୩୨ରନ କରିଥିଲେ । ଟମ ଲିଥାମ ୬୯ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଆୟାର ୧୦୩ ରନ, ଲୋକେଶ ରାହୁଲ ୮୮ ରନ ଓ ଅଧିନାୟକ ବିରାଟ କୋହଲି ୫୧ ରନ କରିଥିଲେ । ଦୁଇ ଓପନର ପୃଥିବୀ ଶାହ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ ।
ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଟି-୨୦ ସିରିଜକୁ ୫-୦ ବ୍ୟବଧାନରେ ଜିତିସାରିଛି । ଏକଦିବସୀୟ ସିରିଜରେ ମୋଟ ୩ଟି ମ୍ୟାଚ ଖେଳା ହେବାକୁ ଥିବାବେଳେ ଆଜିର ବିଜୟ ସହ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି । ଏକ ଦିବସୀୟ ସିରିଜ ପରେ ଦୁଇଦେଶ ମଧ୍ୟରେ ୨ଟି ଟେଷ୍ଟ ଖେଳାଯିବ ।