ଅତିରିକ୍ତ ପୋଲିସ ଡିଜି ଦାୟିତ୍ୱ ନେଲେ ବି କେ ଶର୍ମା

କଟକ:ରାଜ୍ୟ ପୋଲିସ ବିଭାଗର ନୂଆ ମୁଖ୍ୟଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ଯେ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, ତେଣୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ସହିତ ମାଓବାଦୀ ଦମନ ଦ୍ୱାରା ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ପୋଲିସ ଷ୍ଟେସନ ହେଉଛି ପୋଲିସର ପ୍ରାଣବିନ୍ଦୁ । ଆଗାମୀ ଦିନରେ ଥାନାର ସ୍ୱଚ୍ଛତା ଆଣିବା ଲକ୍ଷ୍ୟ । ଏହା ସହିତ ଥାନା ଭିତ୍ତିଭୂମି ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ପୋଲିସ ବିଭାଗର ତଳ ସ୍ତରଠାରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତି ସମସ୍ତେ ଟକ୍ନୋଲୋଜିକୁ ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ନାରୀ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହେବ । ଲୋକମାନଙ୍କ ସହିତ ପୋଲିସ ଯୋଡ଼ି ହୋଇ ରହିବା ଉଚିତ । ତାହା ହେଲେ ଯାଇ ଲୋକ ପୋଲିସକୁ ଗ୍ରହଣ କରିବେ ।

୧୯୮୬ ବ୍ୟାଚର ଆଇପିଏସ୍‌ ବି କେ ଶର୍ମା ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍‌ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍‌ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ତୁଲାଇଛନ୍ତି । ଏହି ସମୟରେ ସେ ଟ୍ୱିନ୍‌ ସିଟିରେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଛନ୍ତି । ସେହିପରି ୧୯୯୯ରୁ ୨୦୦୬ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ ସିବିଆଇରେ କାମ କରିସାରିଛନ୍ତି । ସେହିଭଳି ସାଧାରଣ ନିର୍ବାଚନ ସମୟରେ ପତ୍ନୀଙ୍କ ଦେହାନ୍ତ ପାଇଁ ଛୁଟିରେ ଥିବା ଆର୍‌ ପି ଶର୍ମାଙ୍କ କାର୍ଯ୍ୟଭାର ସମ୍ଭାଳିଥିଲେ ବିକେ ଶର୍ମା ।

ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କୁ ସୁପାରିସ କରିଥିଲେ । ରାଜ୍ୟପାଳ ଅନୁମୋଦନ ଦେବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି । ଆର.ପି ଶର୍ମା ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଥିଲେ ।