ଭୁବନେଶ୍ୱର: ବିଭିନ୍ନ ବାସଗୃହ ଓ ବିଲଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନ ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି ।
ଏହି ନୂତନ ନିଷ୍ପତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ । ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସହଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ଦିନ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିବେ । ପ୍ରମାଣ ପତ୍ରର ଅବଧି ୨ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ । ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନଇଛନ୍ତି ।
ନୂତନ ନିଷ୍ପତି ଅନୁଯାୟୀ, ୧୫ ମିଟରରୁ ଉଚ୍ଚତା ବିଶିଷ୍ଟ କୋଠା(ମଲ୍ଟିପ୍ଲେକ୍ସ ବ୍ୟତୀତ) ପାଇଁ ସରକଲ ଡେପୁଟି ଫାୟାର ଅଫିସର, ୧୫ ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ(ମଲ୍ଟିପ୍ଲେକ୍ସ ବ୍ୟତୀତ) ରେଞ୍ଜ ଫାୟାର ଅଫିସର, ୩୫ ମିଟର ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠାବାଡି ପାଇଁ (ମଲ୍ଟିପ୍ଲେକ୍ସ ବ୍ୟତୀତ) ଚିଫ୍ ଫାୟାର ଅଫିସର ଫାୟାର ପ୍ରିଭେନସନ୍, ୧୨ ମିଟରରୁ କମ ଉଚ୍ଚତା ତଥା ୩୦ ଶର୍ଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର କି ଅନ୍ତତଃ ପକ୍ଷେ ଗୋଟିଏ ଆଇସିୟୁ ଥିବ, ସେ କ୍ଷେତ୍ରରେ ଆସିଷ୍ଟାଂଟ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉପରୋକ୍ତ ବୈଶିଷ୍ଟଯୁକ୍ତ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ ପାଇଁ ଆସିଷ୍ଟାଂଟ ଫାୟାର ଅଫିସର ଅଫ୍ ଡିଷ୍ଟିକ୍, ୩ ତାରକାରୁ କମ୍ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ୍ ପାଇଁ ଆସିଷ୍ଟାଂଟ ଫାୟାର ଅଫ୍ ଦି ଡିଷ୍ଟିକ୍ , ୩ ତାରକାରୁ ଉଦ୍ଧ୍ୱର୍ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିଅମ୍, ବହୁତଳ କାର ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର ପାର୍କି ପାଇଁ ରେଞ୍ଜ ଫାୟାର ଅଫିସର, ପେଟ୍ରୋଲ ପମ୍ପ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଂଟ ଫାୟାର ଅଫିସର, ଶିଳ୍ପ(କ୍ଷୁଦ୍ର) କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଊତ୍ପାଦନ ଓ ବିକ୍ରୟ(ସ୍ଥାୟୀ ଲାଇସେନସଧାରୀ) ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ ଶିଳ୍ପ ବିସ୍ଫେରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।