କରାଚି-ରାୱଲପିଣ୍ଡି ତେଜଗାମ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

କରାଚି:ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୪୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛି । ଟ୍ରେନରେ ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଲା, ତାହା ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ ।  

ସୂଚନା ଅନୁସାରେ ତେଜଗାମ ଏକ୍ସପ୍ରେସ ଲିଆକାତପୁର ଅଞ୍ଚଳର ରହୀମ ୟାରଖାନ ନିକଟରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ଟ୍ରେନରେ ଅଚାନକ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଯାତ୍ରୀମାନେ ଏହାକୁ ଅଟକାଇ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହା ପରେ ଟ୍ରେନକୁ ଅଟକା ଯାଇ ସମସ୍ତ ଯାତ୍ରୀଙ୍କୁ ଏଥିରୁ ବାହାରି ଯିବାକୁ କୁହାଯାଇଥିଲା ।