କୋଠାରେ ଅଗ୍ନିକାଣ୍ଡ; ଶ୍ଵାସରୁଦ୍ଧ ହୋଇ ମା’, ୨ ସନ୍ତାନ ମୃତ

ଫରିଦାବାଦ: ଫରିଦାବାଦରେ ଏକ କୋଠାରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଶ୍ଵାସରୁଦ୍ଧ ହୋଇ ଜଣେ ମହିଳା ଏବଂ ତାଙ୍କର ୨ ସନ୍ତାନ ପ୍ରାଣ ହରାଇଛନ୍ତି।

୩ ମହଲା ବିଶିଷ୍ଟ ଉକ୍ତ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ଏକ କପଡ଼ା ଦୋକାନ ଥିବାବେଳେ ପ୍ରଥମ ଏବଂ ୨ୟ ମହଲାରେ ସ୍କୁଲ ଚାଲିଥିଲା। ସ୍କୁଲର ସଞ୍ଚାଳକ ଏବଂ ତାଙ୍କ ପରିବାର ୨ୟ ମହଲାରେ ରହୁଥିଲେ। ଶନିବାର ଭୋର ସମୟରେ କପଡ଼ା ଦୋକାନରେ ନିଆଁ ଲାଗିଯାଇଥିଲା। ଏହା ଜାଣିପାରି ସ୍କୁଲର ସଞ୍ଚାଳକଙ୍କ ପତ୍ନୀ ନିତା ନିଆଁ ଲିଭାଇବା ପାଇଁ ଦୋକାନର ତାଲା ଖୋଲିଥିଲେ। ସେତେବେଳେ ତାଙ୍କ ସ୍ବାମୀ ଘରେ ନ ଥିଲେ। କିନ୍ତୁ ନିଆଁର ଭୟାବହତାକୁ ଦେଖି ନିତା ଉପର ଘରକୁ ଚାଲିଯିବାକୁ ଉଦ୍ୟମ କରିଥିଲେ ହେଁ ଯାଇପାରି ନ ଥିଲେ। ଘଟଣାସ୍ଥଳରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ନିଆଁ ବ୍ୟାପିଯିବା ଫଳରେ ସମଗ୍ର କୋଠା ଧୂଆଁମୟ ହୋଇଯାଇଥିଲା। ଫଳରେ ୨ୟ ମହଲାରେ ଥିବା ନିତାଙ୍କ ପୁଅ ଏବଂ ଝିଅ ମଧ୍ୟ ଶ୍ଵାସରୁଦ୍ଧ ହୋଇ ଚେତା ହରାଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିତା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।