ଆସିକାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଟିଙ୍ଗିରି ଦୋରା ଆହତ

ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ପୋଲିସ ଏନ୍‌କାଉଣ୍ଟର କରିଛି । ଅଭିଯୁକ୍ତକୁ ଧରିବାବେଳେ ଏନ୍‌କାଉଣ୍ଟର୍‌ ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ପି.ଶିବଶଙ୍କର ଦୋରା ଓରଫ୍‌ ଟିଙ୍ଗିରି ଆହତ ହୋଇଛି । ତା’ର ‌ବାମ ଗୋଡରେ ଗୁଳି ବାଜିଛି  । ଟିଙ୍ଗିରିକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଆସିକା ପୋଲିସ ଏକ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ପାଣ୍ଡିଆପଥର ଗାଁକୁ ଯାଇଥିଲା  । ଏହି ସମୟରେ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଟିଙ୍ଗିରି ଦୋରାକୁ ଧରିବାକୁ ପୋଲିସ ଉଦ୍ୟମ କରିଥିଲା । ମାତ୍ର ସେ ପ୍ରଥମେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ଏହାର ଜବାବରେ ପୋଲିସ ପାଲଟା ଗୁଳି କରିଥିଲା । ଫଳରେ ଟିଙ୍ଗିରିର ଗୋଡ଼ରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ସନ୍ଧ୍ୟାରେ ବଳରାମ ସେଠୀ ଗୁଳିମାଡ଼ରେ ସଂପୃକ୍ତ ଥିବା ଜଣାପଡ଼ିଛି । ତା’ ନିକଟରୁ ନମ୍ବର ବିହୀନ ଏକ ବାଇକ୍‌, ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ କରାଯାଇଛି । ଏହି ଗୁଳିକାଣ୍ଡରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଆସିକା ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଜାରି ରଖିଛି ।