ଭୁବନେଶ୍ବର: କଳ୍ପନା ଫଳ ଭେଣ୍ଡି ଜୋନରେ ଭୟଙ୍କର ଅଗ୍ନିକାଣ୍ଡ। ସମ୍ପୂର୍ଣ୍ଣ ପାଉଁଶ ହୋଇଛି ମା’ ତାରିଣି ଭେଣ୍ଡିଂ ଜୋନ। ଗୁରୁବାର ବିଳମ୍ବିତ ରାତିରେ ହଠାତ କଳ୍ପନା ଫଳ ଭେଣ୍ଡି ଜୋନରେ ହୁ ହୁ ହୋଇ ନିଆଁ ଲାଗିଥିବାର ଖବର ମିଳିଥିଲା । ଖବର ପାଇ ରାତି ୧୨ଟା ୧୫ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲା । ହେଲେ ସେସମୟ ସୁଦ୍ଧା ପ୍ରାୟ ୧୭ଟି ଫଳ ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଥିଲା ।
ସୂଚନା ଅନୁଯାୟୀ କଳ୍ପନା ଛକ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁର କୋପ ଏତେ ଅଧିକ ରହିଥିଲା କି ପାଖାପାଖି ୪୦ ମିନିଟର କସରତ ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା ଦମକଳ ବାହିନୀ । ତେବେ ଘଟଣାରେ ୧୭ଟି ଫଳ ଦୋକାନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବଂଚିଯାଇଛି ୬ ଜୀବନ ।
ନିଆଁ ଲାଗିବା ସମୟରେ ୬ ଜଣ ଦୋକାନୀ ଶୋଇଥିବା ଅବସ୍ଥାରେ ଲୋକଙ୍କ ଚିତ୍କାର ଶୁଣି ସେମାନେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ହେଲେ ନିଆଁ ସେତବେଳକୁ ଆଖପାଖ ଅନ୍ୟ ଦୋକାନକୁ ବ୍ୟାପିବା ଆରମ୍ଭ ହୋଇଯାଇଥିଲା । ତେବେ ଏକ ନିର୍ଦ୍ଦିଷ୍ଟ ଦୋକାନ ବନ୍ଦ ଥିବା ଅବସ୍ଥାରେ ସର୍ଟସର୍କିଟ ଯୋଗୁଁ ସେଠାରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଏଠାରେ ପ୍ରକାଶ ଥାଉ କି ସମାନ ଢଙ୍ଗରେ ୨୦୧୫ ମସିହାରେ ମଧ୍ୟ ସେହି ଫଳ ମାର୍କେଟରେ ନିଆଁ ଲାଗିଥିଲା । ଯେଉଁଥିରେ ଅନେକ ଦୋକାନ ନଷ୍ଟ ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।