ବିଜୟୱାଡା କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ବିଜୟୱାଡା: କୋଭିଡ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ରବିବାର ସକାଳେ ବିଜୟୱାଡା ସ୍ଥିତ ଏକ କୋଭିଡ କେୟାର ସେଣ୍ଟରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଜୟୱାଡା ସିପି ଶ୍ରୀନିହାସୁଲୁ କହିଛନ୍ତି ଯେ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।

ଧୂଆଁ ଯୋଗୁଁ କୋରୋନା ଆକ୍ରାନ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇଥିଲା । ସମସ୍ତ ରୋଗୀ ଭୟଭୀତ ହୋଇ ଉଠିଥିଲେ । ତେବେ କେୟାର ସେଣ୍ଟରର ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ମହଲାକୁ ନିଆଁ ବ୍ୟାପିବାରୁ ପ୍ରଥମ ମହଲାରୁ ୪ ଜଣ ବ୍ୟକ୍ତି ଜୀବନ ବିକଳରେ ତଳକୁ ଡେଇଁ ପଡିଥିଲେ ।

ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ରୋଗୀମାନଙ୍କୁ ସୁରକ୍ଷିତ ସେଠାରୁ ଉଦ୍ଧାର କରାଯାଇ ଅମ୍ବୁଲାନ୍ସ ଯୋଗେ ଲାବିଡପେଟର ରମେଶ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାଥାଉକି, ସ୍ୱର୍ଣ୍ଣ ପ୍ୟାଲେସ ହୋଟେଲକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି । ସେଠାରେ ୩୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ସେମାନଙ୍କୁ ୧୦ ଜଣ ସ୍ୱାସ୍ଥ୍ୟକର୍ମଚାରୀ ଚିକିତ୍ସା ପ୍ରଦାନ କରୁଥିଲେ ।

ତେବେ ଆଜିର ଏହି ଅଗ୍ନିକାଣ୍ଡ ପରେ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାପୂର୍ବରୁ କିଛିଦିନ ତଳେ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥଲେ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।