ରାଜଧାନୀର ଇନଫୋସିଟିରେ ଚାଳକଙ୍କ ଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଆଜିଠାରୁ ଟ୍ରାଫିକ ନିୟମ କଡାକଡି ହୋଇଛି । କଂଟ ସରିଲା ପରେ ଧରପଗଡ ଆରମ୍ଭ ହୋଇଛ । ଯେଉଁ ଚାଳକ ନିୟମ ଭାଙ୍ଗୁଛି, ତାଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି ।

ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ଛକମାନଙ୍କରେ ଜୋରଦାର ଚାଲିଛି ଚେକିଂ । ବିଶେଷ କରି ଭୁବନେଶ୍ୱରର ମୁଖ୍ୟ ଛକମାନଙ୍କରେ ଚାଲିଛି କଡ଼ା ଚେକିଂ । ହେଲମେଟ ପିନ୍ଧି ନ ଥିବା କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଇନଫୋସିଟି ଅଂଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ବାକି ସବୁ ଅଂଚଳରେ ମଧ୍ୟ ଚେକିଂ ଚାଲିଛି । ତେବେ ଆଜିଠାରୁ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିବାରୁ କେତେକ ଲୋକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଆଉ କିଛି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି ।

ସୂଚନାଯୋଗ୍ୟ, ପରିବହନ କମିସନର ମାର୍ଚ୍ଚ ପହିଲାଠାରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ବଡ଼ ଧରଣର ଜରିମାନା ଦେବାକୁ ପଡ଼ିପାରେ ବୋଲି କହିଥିଲେ। ଯେ କୌଣସି ମୁହୂର୍ତରେ ପରିବହନ ଅଧିକାରୀ କିମ୍ବା ପୋଲିସ ଅଟକାଇ ପାରନ୍ତି। କେନ୍ଦ୍ରୀୟ ନିୟମ ଆଧାରରେ ଆସନ୍ତାକାଲିଠାରୁ ପୁଣି କଡ଼ାକଡ଼ି ହେବ ଗାଡ଼ି ଯାଂଚ । ଏ ସଂକ୍ରାନ୍ତରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ଯେଉଁ ୬ମାସର ମହଲତ ଦେଇଥିଲେ, ସେ ସମୟସୀମା ଆଜି ସରିଯାଇଛି।