ରାସ୍ତା କଡରେ ପରିଶ୍ରା ବା ମଳତ୍ୟାଗ କଲେ ଦେବେ ଜରିମାନା: ବ୍ରହ୍ମପୁରରେ ଆରମ୍ଭ ହେଲା ଅଭିଯାନ

ବ୍ରହ୍ମପୁର: ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ | ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅଭିଯାନକୁ ଜୋରସୋରରେ ଆରମ୍ଭ କରାଯାଇଛି | ଜୁଲାଇ ମାସରେ ବାହାରେ ପରିଶ୍ରା କରୁଥିବାବେଳେ ୧୮ ଜଣଙ୍କୁ ଧରି ୧୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି | ସେହିପରି ବାହାରେ ମଳତ୍ୟାଗ କରୁଥିବାରୁ ୧୨ ଜଣଙ୍କୁ ଧରି ୫୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି | ଏଠାରେ ସୂଚନା ଥାଉ କି ୨୦୦୮ ମସିହାରେ ମହାନଗର ନିଗମର ମାନ୍ୟତା ପାଇଥିଲା ବ୍ରହ୍ମପୁର ମହାନଗର ନିଗମ | ତେବେ ସ୍ଵଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଭାବେ ମାନ୍ୟତା ପାଇଥିବାରୁ ଏବେ ଗୁରୁତ୍ୱର ସହ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ଏଭଳି ବ୍ୟବସ୍ଥା ଆପଣାଯାଇଛି |

ମହାନଗର ନିଗମ ଅଧୀନରେ ୪୦ଟି ୱାର୍ଡ ଥିବାବେଳେ ୭୭ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ସ୍ଥାନରେ ୨୫ଟି ଶୌଚାଳୟ ସ୍ଥାପନ କରାଯାଇଛି | ସେହିପରି ୬୪ଟି ପବ୍ଲିକ ଟଏଲେଟ ମଧ୍ୟ ସ୍ଥାପନ କରାଯାଇଥିବାବେଳେ ଯଦି ଜଣେ ବ୍ୟକ୍ତି ଟଏଲେଟ ବ୍ୟବହାର କରି ଏହାକୁ ସଫା ନ କରିବ ତେବେ ୧୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ |