ବଜେଟ୍‌ ପାଇଁ ଜନତାଙ୍କ ମତ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ଲୋକଙ୍କ ମତାମତ ଲୋଡ଼ିଛନ୍ତି ସରକାର । ବଜେଟ୍‌ରେ କ’ଣ ବ୍ୟବସ୍ଥା ରହିବ ସେ ନେଇ ଜନସାଧାରଣ, ନାଗରିକ ସମାଜ, ସଂଘ ଓ ସଂଗଠନ ନିଜର ସୁଚିନ୍ତିତ ମତାମତ ଦେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।

ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ୍‌ ଉପସ୍ଥାପନ କରିବେ । ଏଥିପାଇଁ ରାଜ୍ୟବାସୀ ଆଗାମୀ ବଜେଟ୍‌ ପାଇଁ ନିଜର ମତାମତ ଦେଇ ପାରିବେ । ଏସ୍‌ଏମ୍‌ଏସ୍‌, ଇ-ମେଲ୍‌ କିମ୍ବା ହ୍ୱାଟସ୍‌ଆପ୍‌ ଜରିଆରେ ମତାମତ ପଠାଇ ପାରିବେ । ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ୱେବ୍‌ସାଇଟ୍‌ odisha.budget@gov.in ଜରିଆରେ ମତାମତ ଦେଇ ହେବ । ସେହିପରି ୯୪୩୮୧୬୧୧୧୧ ନମ୍ବରରେ ହ୍ୱାଟସ୍‌ଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ପଠାଇ ହେବ । ଜୁନ୍‌ ୧୫ ତାରିଖ ସୁଦ୍ଧା ମତାମତ ଦେବାକୁ ଅର୍ଥମନ୍ତ୍ରୀ କହିଛନ୍ତି ।