ଅନୁପ ସାଏଙ୍କ ମର୍ଡର ଘଟଣାରେ ନିର୍ମାଣ ହେବ ଫିଲ୍ମ

ଘଟଣାର ଖୋଳତାଡ ପାଇଁ ଭୁବନେଶ୍ୱରରେ ଛତିଶଗଡ ପୋଲିସ

ଭୁବନେଶ୍ୱର: ଚର୍ଚ୍ଚିତ ମା’ ଓ ଝିଅଙ୍କୁ ହତ୍ୟା କରିଥିବା ଘଟଣାରେ ଗୋଟିଏ ପରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ନେଇ ପୋଲିସ ଗିରଫ କରି ଛାନଭିନ୍ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତେବେ ଅନୁପ ସାଏଙ୍କ ପରକୀୟ ପ୍ରୀତି ଓ ହତ୍ୟାକାଣ୍ଡ ଘଟଣାକୁ ନେଇ ଖୁବଶୀଘ୍ର ନିର୍ମାଣ ହେବ ଫିଲ୍ମ । ତେବେ ଏହି ଓଡ଼ିଆ ଫିଲ୍ମର ନାମ “ମାୟାବିନୀ” ରଖାଯାଇଥିବାବେଳେ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ ସବିନୟ । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶ୍ରୀଧର ମାର୍ଥା | ଶ୍ରୀଧର ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଫିଲ୍ମ ନିର୍ମାଣ କରିଥିଲେ।

ଅନ୍ୟପଟେ ୨୦୧୬ ହତ୍ୟାକାଣ୍ଡ ମାମଲାରେ ଖିଅ ଖୋଜୁଛି ପୁଲିସ । ହତ୍ୟାକାଣ୍ଡର ଖୋଳତାଡ ପାଇଁ ଭୁବନେଶ୍ୱରରେ ପହଂଚିଛି ଛତିଶଗଡ ପୋଲିସ । ପୋଲିସ, ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଆପାର୍ଟମେଂଟ ଯାଇ ତଦନ୍ତ କରିବାର ସମ୍ଭାବନା ଅଛି । ଛତିଶଗଡ ପୋଲିସ ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି, ଏୟାରପୋର୍ଟ ଅଥରିଟି ଅଫିସରେ ଅଛନ୍ତି । ପରେ ଟିମ୍ ସୁନ୍ଦରପଦା ଯିବେ ବୋଲି ସୂଚନା ମିଳିଛି । ସେପଟେ ରାୟଗଡ ଜିଲ୍ଲା ଜଜ କୋର୍ଟରେ ଆଜି ହାଜର ହେବେ ଅନୁପ ସାଏ ।

ଆଜି ତାଙ୍କ ରିମାଣ୍ଡ ଉପରେ ଶୁଣାଣି କରିବେ କୋର୍ଟ । ଅଭିଯୁକ୍ତଙ୍କୁ ପୋଲିସ କେତେଦିନ ରିମାଣ୍ଡରେ ନେଇ ଜେରା କରିବ ସେନେଇ ଅନୁମତି ଦେବେ କୋର୍ଟ । ଡବଲ ମର୍ଡର ଘଟଣାରେ ଅଧିକ ତଥ୍ୟ ପାଇଁ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ପୋଲିସ । ପୂର୍ବରୁ ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ତାଙ୍କ ଆକାଉଂଟ୍ ଥିବା ଦୁଇଟି ବ୍ୟାଙ୍କରେ ଖୋଳତାଡ କରିଛି ।