ପିଫା ବିଶ୍ୱ କପ : ୧-୦ରେ ହାରିଲା ବେଲିଜିୟମ,ଫାଇନାଲରେ ପ୍ରାନ୍ସ

ସେଣ୍ଟପିଟର୍ସବର୍ଗ: ଫିଫା ବିଶ୍ୱ କପ୍ ୨୦୧୮ର ପ୍ରଥମ ସେମିଫାଇନାଲ୍ରେ ବେଲ୍ଜିୟମ୍କୁ ୧-୦ ଗୋଲ୍ରେ ହରାଇ ଫ୍ରାନ୍ସ ଫାଇନାଲ୍ରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିବା ପରେ ୫୧ତମ ମିନିଟ୍ରେ ଫ୍ରାନ୍ସର ସାମୁଏଲ୍ ଉମ୍ତିତି ହେଡର୍ ମାଧ୍ୟମରେ ଯେଉଁ ଗୋଟିଏ ଗୋଲ୍ ସ୍କୋର୍ କରିଥିଲେ ତାହା ଶେଷରେ ମ୍ୟାଚ୍ର ନିର୍ଣ୍ଣାୟକ ଗୋଲ୍ ସାବ୍ୟସ୍ତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ସର୍ବାଧିକ ଗୋଲ୍ କରିଥିବା ବେଲ୍ଜିୟମ୍ ଗୋଲ୍ଟି ଶୁଝାଇବା ପାଇଁ ପୂରା ମ୍ୟାଚ୍ରେ ଆପ୍ରାଣ ଉଦ୍ୟମ ଚଳାଇ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା । ୧୯୮୬ ପରେ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଖେଳିଥିବା ବେଲ୍ଜିୟମ୍କୁ ଫାଇନାଲ୍ ପାଇଁ ସବୁଠୁ ଶକ୍ତିଶାଳୀ ଦାବିଦାର ମନେ କରାଯାଉଥିଲା । ଅନ୍ୟପକ୍ଷରେ ଫ୍ରାନ୍ସ ଟୁର୍ଣ୍ଣାମେଣ୍ଟରେ ୫ ବିଜୟ ଓ ଗୋଟିଏ ଡ୍ର’ ସହ ୨୦ ବର୍ଷରେ ୩ୟ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ୧୯୯୮ରେ ଦଳ ଚାମ୍ପିଅନ୍ ହୋଇଥିବା ବେଳେ ୨୦୦୬ ଫାଇନାଲ୍ରେ ଇଟାଲୀଠାରୁ ଶୁଟ୍ଆଉଟ୍ରେ ପରାଜିତ ହୋଇ ଟାଇଟଲ୍ରୁ ବଞ୍ଚିତ ହୋଇଥିଲା । ଫ୍ରାନ୍ସ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨- ୧ରେ ହରାଇବା ପରେ ଦ୍ୱିତୀୟ ମ୍ୟାଚ୍ରେ ପେରୁକୁ ୧-୦ରେ ହରାଇଥିଲା । ତେବେ ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ଡେନ୍ମାର୍କ ସହିତ ଗୋଲ୍ଶୂନ୍ୟ ଡ୍ର’ ଖେଳିଥିଲା । ନକ୍ଆଉଟ୍ ପର୍ଯ୍ୟାୟରେ ଫ୍ରାନ୍ସ ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ଆଜେଣଅଟିନାକୁ ୪-୩ରେ ହରାଇବା ସହ କ୍ୱାର୍ଟର୍ ଫାଇନାଲ୍ରେ ଉରୁଗୁଏ ବିପକ୍ଷରେ ୨-୦ର ସହଜ ବିଜୟ ହାସଲ କରିଥିଲା । ଫ୍ରାନ୍ସର ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରାରେ ୧୯ ବର୍ଷୀୟ କିଲିୟନ୍ ଏମ୍ବାପେ ଏବଂ ଆେର୍ଜଣ୍ଟୋନି ଗ୍ରୀଜ୍ମ୍ୟାନ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଉଭୟ ବର୍ତମାନ ସୁଦ୍ଧା ଟୁଣ୍ଣାମେଣ୍ଟରେ ୩ଟି ଲେଖାଏଁ ଗୋଲ୍ କରିଛନ୍ତି । ଆଜିର ସେମିଫାଇନାଲ୍ ମ୍ୟାଚ୍ରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ଉଭୟ ଦଳର ଗୋଲ୍କିପର୍ ଅନେକ ସମ୍ଭାବ୍ୟ ଗୋଲ୍କୁ ଅଟକାଇ ପ୍ରଥମାର୍ଦ୍ଧକୁ ଗୋଲ୍ ଶୂନ୍ୟ ରଖିଥିଲେ । ତେବେ ୫୧ତମ ମିନିଟ୍ରେ କର୍ଣ୍ଣର୍ର ଆଣ୍ଟୋନି ଗ୍ରୀଜ୍ମ୍ୟାନ୍ଙ୍କ ଡେଲିଭରୀକୁ ଉମ୍ତିତି ହେଡର୍ ମାଧ୍ୟମରେ ମ୍ୟାଚ୍ର ଏକମାତ୍ର ଗୋଲ୍ ସ୍କୋର୍ କରି ଫ୍ରାନ୍ସ ବିଜୟରେ ହିରୋ ସାଜିଥିଲେ । ଫ୍ରାନ୍ସ ବୁଧବାର କ୍ରୋଏସିଆ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୨ୟ ସେମିର ବିଜେତାକୁ ରବିବାରର ଫାଇନାଲ୍ରେ ଭେଟିବ ।