FICCIର ୯୩ତମ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ : ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା-ନବୀନ

ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ ୫T ଅଧୀନରେ ଥିବା ମୋ ସରକାର କାର୍ଯ୍ୟକରୁଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶା ପୂର୍ବ ଭାରତର ରାଜ୍ୟ ଭାବେ ପ୍ରଗତି ଧାରାରେ ସାମିଲ ହୋଇଛି । ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା । ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ ୫T ଅଧୀନରେ ଥିବା ମୋ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ପୁଞ୍ଜି ନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଲ୍ପାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ । ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗୋଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ପାରାଦୀପକୁ ପୂର୍ବ ଭାରତର ରସାୟନ ଓ ପେଟ୍ରୋକେମିକାଲ ହବ୍ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ଫିକ୍କିର ୯୩ତମ ବାର୍ଷିକ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ କ୍ଷେତ୍ର ଭିତ୍ତିକ କମିଟି ଗଠନ କରି ଓଡ଼ିଶାର ବିଭିନ୍ନ ବିଭାଗ ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ସଂଗଠନ ଫିକ୍କିକୁ ଅନୁରୋଧ କରିଛନ୍ତି ।

ଫିକ୍କିର ୯୩ତମ ବାର୍ଷିକ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଫିକ୍କି ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନ ଓ ଆଇଟି ଆଦି କ୍ଷେତ୍ର ଉପରେ ବିଶେଷଜ୍ଞ ଟିମ ଗଠନ କରି ଓଡ଼ିଶା ସରକାରଙ୍କ ସଂପର୍କିତ ବିଭାଗଗୁଡ଼ିକ ସହ କାର୍ଯ୍ୟ କରନ୍ତୁ । ସେ କହିଛନ୍ତି ଯେ, ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ପାଇଁ ଫିକ୍କି ପୁଣି ଥରେ ଜାତୀୟ ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟକରିବ । ଏହି ସମ୍ମିଳନୀର ସଫଳତା ପାଇଁ ଫିକ୍କିର ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ଗତ ୨୦୧୮ରେ ହୋଇଥିବା ୨ୟ ମେକ ଇନ ଇଣ୍ଡିଆ ସମ୍ମିଳନୀରେ ଫିକ୍କି ସହଯୋଗୀ ଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କଛି ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ର ଯଥା ଇସ୍ପାତ ଓ ଆଲୁମିନିୟମ, ଆନୁଷଙ୍ଗିକ ଶିଳ୍ପ, ଆଇଟି, ସ୍ବାସ୍ଥ୍ୟସେବା, ଖାଦ୍ୟ ପ୍ରକ୍ରିୟାକରଣରେ ନିବେଶ ଆକୃଷ୍ଟ କରିଛି । ଦେଶର ନିବେଶକ ସମୁଦାୟକୁ ପ୍ରତିନିଧିତ୍ବ କରିବା ସହ ଦେଶର ଉଦ୍ୟୋଗିକ ବିକାଶର ଉଲ୍ଲେଖନୀୟ କାର୍ଯ୍ୟ କରିଛି ଫିକି । ଏଥି ପାଇଁ ଫିକିର ସମସ୍ତ ସଦସ୍ୟଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ନବୀନ ।