୬ବର୍ଷରେ ଫେଡକୋ ରାଜସ୍ୱ ୧୭ ଗୁଣା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଦ୍ୟୁତ୍ ବିତରଣ କମ୍ପାନି ତଥା ଫିଡବ୍ୟାକ୍ ଇନଫ୍ରାର ପୂର୍ଣ୍ଣ ସହଯୋଗୀ ସଂସ୍ଥା ଫିଡବ୍ୟାକ୍ ଏକର୍ଜି ଡିଷ୍ଟ୍ରିବ୍ୟୁସନ୍(ଫେଡକୋ) ୬ବର୍ଷ ଭିତରେ ନିଜ ରାଜସ୍ୱକୁ ୧୭ଗୁଣା ବଢ଼ାଇ ୭୭୦କୋଟି ଟଙ୍କା କରିଛି । ୨୦୨୨ ସୁଦ୍ଧା କମ୍ପାନି ଏହାକୁ ୧୦୦୦କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି । ଫେଡକୋ ପରିଚାଳନା ନିର୍ଦ୍ଦେଶକ(ଏମଡି) ଦେବତୋଷ ଚତୁର୍ବେଦୀ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ କମ୍ପାନିର ୬ବର୍ଷ ବ୍ୟବସାୟ ପୂର୍ତ ଅବସରରେ ଶ୍ରୀ ଚତୁର୍ବେଦୀ କହିଛନ୍ତି ଯେ, ୨୦୧୩ରେ ଫେଡକୋ ବିତରଣ ଫ୍ରାଂଚାଇଜ୍ ଚୁକ୍ତି (ଡିଏଫଏ) ଜରିଆରେ ରାଜ୍ୟର ପୁରୀ, ବାଲୁଗାଁ, ଖୋର୍ଦ୍ଧା ଓ ନୟାଗଡ ବିଦ୍ୟୁତ୍ ଡିଭିଜନରେ ସେସୁଠାରୁ ବିତରଣ ଫ୍ରାଂଚାଇଜ୍ ନେଇଛି । ଏହି ୪ଟି ଡିଭିଜନରେ କମ୍ପାନି ପ୍ରାୟ ୫୦ ହଜାର ଗ୍ରାହକଙ୍କୁ ବିଜୁଳି ସେବା ଯୋଗାଉଛି ।

ଓଡ଼ିଶାରେ କମ୍ପାନି ନିଜ କାର୍ଯ୍ୟକ୍ଷେତ୍ର ଅଂଚଳରେ ବିଦ୍ୟୁତ୍ ଏଟିଆଣ୍ଡସି କ୍ଷତିକୁ ୨୬% କମାଇଛି । ଏପରିକି ଗ୍ରାମାଂଚଳରେ ମଧ୍ୟ ଏହା ରାଜସ୍ୱ ସଂଗ୍ରହକୁ ସୁଦୃଢ଼ କରିପାରିଛି । ଗ୍ର୍ରାହକଙ୍କୁ ବିଜୁଳି ବିଲ ପ୍ରଦାନ ଓ ସେମାନଙ୍କ ନିକଟକୁ ଦେୟ ସଂଗ୍ରହରେ ଏହା ୧୩୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ନିୟୋଜିତ କରିଛି । ୬ବର୍ଷର କାର୍ଯ୍ୟ ଅବଧିରେ ଏହା ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ।

ଶ୍ରୀ ଚତୁର୍ବେଦୀ କହିଛନ୍ତି, ଫେଡକୋ ଓଡ଼ିଶା ବ୍ୟତୀତ ମେଘାଳୟରେ ମଧ୍ୟ ବିଦ୍ୟୁତ୍ ବିତରଣ ଫ୍ରାହଚାଇଜ୍ ନେଇଛି । ଘରୋଇ କମ୍ପାନି ଦ୍ୱାରା ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ପରିଚାଳନାରେ ଏହା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ୨୦୧୩ରେ କମ୍ପାନିର ବ୍ୟବସାୟ ୪୫କୋଟି ଟଙ୍କା ଥିଲା । କିନ୍ତୁ ୬ବର୍ଷ ଭିତରେ ୨୦୧୯ରେ ଏହା ୭୭୦କୋଟି ଟଙ୍କାରେ ପହଂଚିଛି । ଆଗାମୀ ୩ବର୍ଷ ଭିତରେ ଏହା ବିଦ୍ୟୁତ୍ ବିତରଣ ଫ୍ରାଂଚାଇଜକୁ ବଢ଼ାଇ ୧୦୦୦କୋଟି ଟଙ୍କାର କମ୍ପାନି ହେବାକୁ ଲକ୍ଷ୍ୟ ରଖିଛି ।

ଫେଡ୍କୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେସୁ ଅଧିଗ୍ରହଣ ରେସରେ ମଧ୍ୟ କମ୍ପାନି ରହିଛି । ଯେହେତୁ ଏହା ଏକାକୀ ବିଡ୍ ଦାଖଲ ପାଇଁ ଯୋଗ୍ୟ ନୁହେଁ, ଆଇପିସିଏଲ୍ ସହଭାଗିତାରେ ଏହା ବିଡିଂରେ ସାମିଲ ହୋଇଛି । ସେସୁ ଅଧିଗ୍ରହଣ ଅପେକ୍ଷା ଏହା ଫ୍ରାଂଚାଇଜ୍ ଜରିଆରେ ଓଡ଼ିଶାର ଅଧିକ ଡିଭିଜନରେ ବିଦ୍ୟୁତ୍ ବିତରଣ ନେଟୱର୍କ ହାତେଇବାକୁ ଲକ୍ଷ୍ୟ ରଖିଛି ।