ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ୱର: ‘ବାପା’ ଶଦ୍ଦଟି ସନ୍ତାନ ପାଇଁ ମହାନ । ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ବାପାଠାରୁ କିଭଳି ଦୁନିଆରେ ନିଜକୁ ସଫଳ କରାଇବ ତାର ଉପଯୁକ୍ତ ଜ୍ଞାନ ପାଇବା ପାଇଁ ଆବଶ୍ୟକ କରିଥାଏ । ପିତା ହିଁ ଗୋଟିଏ ସନ୍ତାନର ଆଦର୍ଶ । ମାଆ ୧୦ ମାସ ୧୦ ଦିନର ଗର୍ଭ ଜନ୍ତ୍ରଣା ସହି ସନ୍ତାନକୁ ଦୁନିଆକୁ ଆଣେ ହେଲେ ଦୁନିଆରେ ପରିଚିତ କରାଇଥାଏ ବାପା । ବାପା ସନ୍ତାନର ଛାଇ ହୋଇ ତାର ପାଖେ ପାଖେ ରହି ପ୍ରତ୍ୟେକ କଠିନ ସମୟରେ ସାଥ୍‌ ଦେଇଥାଏ । କଥାରେ ଅଛି ‘ବାପ ଥିଲା ପୁଅ ସଭାରେ ହାରେ ନାହିଁ’ । ଗୋଟିଏ ସନ୍ତାନ ପାଇଁ ପ୍ରେରଣାସ୍ତୋତ୍ର ,ସୁରକ୍ଷା କବଚ,ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା ।

ସନ୍ତାନକୁ କଷ୍ଟ ହେଲେ ମାଆ ଆଖିରୁ ସାଙ୍ଗେ ସାଙ୍ଗେ ଲୁହ ବାହାରି ଆସିଥାଏ । କିନ୍ତୁ ବାପା ହୃଦୟରେ ସନ୍ତାନର କଷ୍ଟ କୁ ଚାପି ରଖିଥାଏ । ପରିବାରକୁ ସମ୍ଭାଳିବାକୁ ଯାଇ ପରିପ୍ରକାଶ କରିବାକୁ ଦିଅନ୍ତି ନାହିଁ । ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୨୧ ଜୁନ୍ ଅର୍ଥାତ୍ ଆଜିର ଦିନରେ ବିଶ୍ୱ ପିତୃ ଦିବସ ପାଳନ କରାଯାଉଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ତ ଦେଇପାରିବେ । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ।