ମଙ୍ଗୁଳି ସମେତ ଅଧିକ ନଗଦ କାରବାର ହେଉଥିବା ୬୫ଟି ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ ନିୟମ କୋହଳ

ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଚିହ୍ନିତ ୬୫ଟି ଟୋଲ ପ୍ଲାଜାରେ ଆଜିଠାରୁ ଆସନ୍ତା ୩୦ ଦିନ ପାଇଁ ଫାସ୍ଟ୍ୟାଗ ନିୟମକୁ କୋହଳ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନ ଭାବେ ପରିବର୍ତିତ କରିବା ଲାଗି କୁହାଯାଇଛି । ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାସ୍ଟ୍ୟାଗ ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ ।

ଉପରୋକ୍ତ ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି । ଏସବୁ ଟୋଲପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବା ଏନଏଚଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା । ବିଶେଷ କରି ଟୋଲ ପ୍ଲାଜାର ଦୁଇ ପାଶ୍ୱର୍ରେ ଥିବା ହାଇବ୍ରିଡ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା । ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିବର୍ତିତ କରାଯିବ । ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଚିହ୍ନଟ ଟୋଲ ପ୍ଲାଜାରେ ହାଇବ୍ରିଡ ଲେନକୁ ଯଥାସମ୍ଭବ କମ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଅତିକମରେ ୭୫% ଲେନକୁ ‘ଫାସ୍ଟ୍ୟାଗ ଲେନ ଫି ପ୍ଲାଜା’ ଭାବେ ଅପରିବର୍ତିତ ରଖିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏହି ୬୫ଟି ଟୋଲ ପ୍ଲାଜାରେ ଉପରୋକ୍ତ ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଯାହାଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାସ୍ଟ୍ୟାଗ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ିଭିଡ଼ ଦୂର କରିବା ଦିଗରେ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ।