ବଢ଼ିଲା ଫାସଟ୍ୟାଗ୍ ନିୟମର ସମୟସୀମା

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଫାସଟ୍ୟାଗ୍ ନିୟମ ଲାଗୁ ହେବାର ଥିଲା । ମାତ୍ର କେନ୍ଦ୍ର ସରକାର ଆଜି ପୁଣିଥରେ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ବୃଦ୍ଧି କରାଇଛନ୍ତି । ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବାରୁ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ ଫାସଟ୍ୟାଗ୍ ଲେନ୍‌ରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ। କିନ୍ତୁ ପରେ ଏହାକୁ ଡିସେମ୍ବର ୧୫କୁ ଘୁଂଚାଯାଇଥିଲା। ତେବେ ଏବେ ପୁଣି ମାସେ କୋହଳ ହୋଇଛି।

ଏହି ସମୟ ମଧ୍ୟରେ ଟୋଲ ପ୍ଲାଜାର ୨୫% ଲେନ୍‌କୁ ଅସ୍ଥାୟୀ ଭାବେ ହାଇବ୍ରିଡ୍‌ ଲେନ୍‌ରେ ପରିଣତ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି। ଫଳରେ ଏହି ଲେନ୍‌ରେ ଉଭୟ ଫାସଟ୍ୟାଗ୍ ସମେତ ଅନ୍ୟ ପେମେଂଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଟୋଲ ପ୍ଲାଜାରେ ଗାଡ଼ିର ଭିଡ଼କୁ ଦୃଷ୍ଟିରେ ରଖି୨୫ ପ୍ରତିଶତ ଫାସଟ୍ୟାଗ୍ ଲେନକୁ ହାଇବ୍ରିଡ୍ ଲେନରେ ପରିଣତ କରାଯାଇ ପାରିବ। ଫାସଟ୍ୟାଗ୍ ଲେନ୍ ଯେଭଳି ୭୫ ପ୍ରତିଶତରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଲୋକେ ଯେଭଳି ଅସୁବିଧାରେ ନପଡ଼ିବେ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।